fbpx

AICTE ଅଧ୍ୟକ୍ଷଙ୍କ ସୂଚନା: ଚାକିରି କରିଥିବା ପିଲାମାନେ ମଧ୍ୟ ନିୟମିତ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପଢ଼ିପାରିବେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଶିକ୍ଷା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଯଦି ଆପଣମାନେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ତେବେ ଏନେଇ ଆସିଛି ଏ ଖୁସି ଖବର । ଅନେକ ସମୟରେ ଚାକିରି କରୁଥିବା ପିଲାମାନେ ଇଞ୍ଜିନିୟରିଂ ପାଠପଢ଼ିବା କ୍ଷେତ୍ରରେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । ତେବେ ଆପଣମାନେ ଯଦି ଚାକିରି କରୁଛନ୍ତି ତେବେ ଏହି ଖବର ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ୱସ୍ତି ପ୍ରଦାନ କରିବ ।

ସୂଚନା ମୁତାବକ, ନିକଟରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି । ଏଣିକି ଚାକିରି କରିଥିବା ପିଲାମାନେ ବି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପାଠ ପଢ଼ିପାରିବେ । ସବୁଠାରୁ ବଡ଼ କଥା ହେଉଛି, ଏହା ଦୂର ନିରନ୍ତର ମାଧ୍ୟମରେ ନୁହେଁ । ପିଲାମାନେ ନିୟମିତ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଏଆଇସିଟିଇ ଏହି ସୁବିଧା ଆଣିଥିବା ସେ କହିଛନ୍ତି ।

ପ୍ରଫେସର ସୀତାରାମ କହିଛନ୍ତି, ଚାକିରି କରୁଥିବା ପିଲାମାନେ ନିଜ କାମ ସାରିବା ପରେ ସନ୍ଧ୍ୟା ୫.୩୦ ପରେ ଏହି ପାଠ ପଢ଼ିପାରିବେ । ସେଥିପାଇଁ ଓଡ଼ିଶା ସମେତ ସାରା ଦେଶରେ ୩୦୦ଟି ଶିକ୍ଷାନୁଷ୍ଠାନକୁ ଚିହ୍ନଟ କରାଯାଇଛି । ପିଲାମାନେ କିପରି ସହଜରେ ଡିଗ୍ରୀ ସମାପ୍ତ କରିପାରିବେ ସେଥିପାଇଁ ତା’ର ଅବଧିରେ କୋହଳ କରାଯାଇଛି । ଛାତ୍ରଛାତ୍ରୀ ଚାହିଁଲେ ଅଧିକ ସମୟ ନେଇ ଏହି କୋର୍ସ ଶେଷ କରିପାରିବେ ।

ଆସନ୍ତା ୨୦୨୪-୨୫ରୁ ଏହି ନିୟମ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ ହେବ । ଏଆଇସିଟିଇ ଅନୁମୋଦିତ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହା ଲାଗୁ ହେବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଡିମଡ୍ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜରେ ଏହା ଲାଗୁ ହେବ । ତେବେ ଘରୋଇ ବିଶ୍ୱବିଦ୍ୟାଳୟରେ ଏହା ଲାଗୁ ହେବ ନାହିଁ । ବର୍ତ୍ତମାନ ସମୟରେ ଚୀନ ବର୍ଷକୁ ୧୨ ଲକ୍ଷ ଡିଗ୍ରୀ ଇଞ୍ଜିନିୟର ସୃଷ୍ଟି କରୁଥିବା ବେଳେ ଭାରତ ୧ ମିଲିୟନ ସୃଷ୍ଟି କରି ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ଆଗାମୀ ଦିନରେ ଭାରତ ୧ ନମ୍ବର ହେବାକୁ ପ୍ରୟାସ ଜାରି ରଖିଛି ।

Get real time updates directly on you device, subscribe now.