fbpx

CM Modiରୁ PM Modi ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା: ଏହି ସଫଳତା ପଛର ଅସଲ ଚାଣକ୍ୟ ହେଉଛନ୍ତି ଅମିତ ଶାହ

Advertisement

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା)ର କୋର କମିଟି ବୈଠକ ଚାଲିଥିଲା । ଏହି ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତାହା ଥିଲା ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି କେଉଁ ଆସନରୁ ନିର୍ବାଚନ ଲଢ଼ିବେ । ସେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ରାଜନାଥ ସିଂହ ବିହାରର ପାଟନାରୁ ମୋଦି ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ମାତ୍ର ବୈଠକରେ ଜଣେ ବ୍ୟକ୍ତି ଏଥିରେ ରାଜି ହୋଇ ନଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ କହିଥିଲେ ଯେ, ମୋଦି ଉତ୍ତରପ୍ରଦେଶରୁ ଲଢ଼ିବା ଦରକାର । କାରଣ ଦଳର ମୁଖ୍ୟ ଚେହେରା କେଉଁ ସ୍ଥାନରୁ ଲଢ଼ିଲେ ଦଳ ଫାଇଦାରେ ରହିବ, ତାହାର ଗଣିତ ହିସାବ କରିସାରିଥିଲେ ଉକ୍ତ ବ୍ୟକ୍ତି । ୟୁପିରେ ଜାତି ଓ ଧର୍ମର ଭୋଟ ହାତେଇବାକୁ ହେଲେ ମୋଦିଙ୍କୁ ୟୁପିରୁ ଲଢ଼ିଲେ ସୁଫଳ ମିଳିବ ବୋଲି ଅଙ୍କକଷି ସାରିଥିଲେ ଉକ୍ତ ବ୍ୟକ୍ତିଜଣଙ୍କ । ଶେଷରେ ମୋଦି ୟୁପିର ବାରାଣାସୀରୁ ଲଢ଼ିଲେ, ଆଉ ଫଳାଫଳ କ’ଣ ହେଲା ତାହା ସମସ୍ତେ ଜାଣନ୍ତି । କେବଳ ସେତିକି ନୁହେଁ ୮୦ ଆସନ ବିଶିଷ୍ଟ ୟୁପିରୁ ଭାଜପା ହାତେଇଥିଲା ୭୧ଟି ସିଟ୍ । ଜାଣନ୍ତି ଏହି ଫର୍ମୂଲାର ସୂତ୍ରଧର କିଏ? ସେ ହେଉଛନ୍ତି ଭାଜପାର ୱିନିଂ ଷ୍ଟ୍ରାଟେଜିଷ୍ଟ ତଥା ବିଜେପିର ଚାଣକ୍ୟ ଅମିତ ଶାହ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ପ୍ରଧାନମନ୍ତ୍ରୀ ଭାବେ ଦୁଇ ଦୁଇଥର ଦାୟିତ୍ୱ ଗ୍ରହଣ କରିସାରିଲେଣି । ଏଥିସହିତ ମୋଦିଙ୍କ ପାଇଁ ଗୋଟିକ ପରେ ଗୋଟିଏ ରାଜ୍ୟରେ ଭାଜପାର ଗେରୁଆ ପତାକା ଉଡ଼ିବା ସମ୍ଭବ ହୋଇପାରିଛି । ତେବେ ଆପଣ କ’ଣ ଜାଣନ୍ତି କି, ମୋଦିଙ୍କୁ ଏତେ ଉଚ୍ଚକୁ ଉଠାଇବାର ପ୍ରକୃତ ସେନାପତି ହେଉଛନ୍ତି ଅମିତ ଶାହ । ଶାହଙ୍କ ନିର୍ବାଚନୀ ସଫଳତା ପରେ କଂଗ୍ରେସକୁ ମଧ୍ୟ ଏପରି ଜଣେ ଚାଣକ୍ୟଙ୍କ ଆବଶ୍ୟକତା ରହିଥିବା ଅନେକ ଆଲୋଚନା କରୁଥିବା ଦେଖାଯାଇଛି । ମୋଦି-ଅମିତଙ୍କ ଯୋଡ଼ିଙ୍କୁ ତୁଳନା କରିବା ପାଇଁ ସତେ ଯେମିତି ଭାଷାର ଅଭାବ ହେବ । କେନ୍ଦ୍ରରେ କ୍ଷମତା ହାସଲ କରିବା ପାଇଁ ସଂଘର୍ଷ କରୁଥିବା ଭାଜପା ଆଜି କଂଗ୍ରେସକୁ ନିମ୍ନକୁ ଠେଲିଦେଇ ଶେହନଶାହ ଆସନରେ ବସିବାରେ ସକ୍ଷମ ହୋଇଛି ଏହି ଯୋଡ଼ିଙ୍କ ପାଇଁ । କୁହାଯାଉଛି, ଅମିତ ଶାହ ୭ମ ଶ୍ରେଣୀରେ ପଢ଼ୁଥିବା ସମୟରେ ମନିଟର ନିର୍ବାଚନ ଲଢ଼ିଥିଲେ । ସେଥିରେ ଅମିତଙ୍କୁ ୫୦ରୁ ୭୫ ପ୍ରତିଶତ ଭୋଟ ମିଳିଥିଲା । ସେ ପ୍ରତ୍ୟେକ କାର୍ଯ୍ୟକୁ ଯାଦୁଗରଙ୍କ ପରି କରିଥାନ୍ତି ବୋଲି ତାଙ୍କର ସହପାଠୀମାନେ କହିଥାନ୍ତି ।

ମାତ୍ର ୧୬ ବର୍ଷ ବୟସରେ ଅମିତ ଶାହ ଆରଏସଏସରେ ଯୋଗ ଦେଇଥିଲେ । ୧୯୯୭ରେ ସେ ସକ୍ରିୟ ରାଜନୀତିରେ ପାଦ ରଖି ଆଉ ପଛକୁ ଫେରିନଥିଲେ । ଶାହଙ୍କ ମୂଲ୍ୟବାନ ରଣନୀତି ପାଇଁ ହିଁ ଆଜି ମୋଦି ଶୀର୍ଷସ୍ଥାନରେ ପହଞ୍ଚି ପାରିଛନ୍ତି । ଦେଶର ସର୍ବପୂରାତନ ଜାତୀୟ ଦଳ କଂଗ୍ରେସର ପ୍ରତ୍ୟେକ ଗୋଟିକୁ ଭଲଭାବେ ବୁଝି ସଫଳତାର ମୁକୁଟ ହାସଲ କରିପାରିଛି ଭାଜପା । ବିଭିନ୍ନ ସମୟରେ ଭାଜପାକୁ ନେଇ ଉଠୁଥିବା ସମାଲୋଚନାକୁ ମୋଦି ବିଭିନ୍ନ ଢଙ୍ଗରେ ମାତ୍ ଦେଇ ପାରିଛନ୍ତି । ଏସବୁର ଶ୍ରେୟଧାରୀ ହେଉଛନ୍ତି ସ୍ୱୟଂ ଅମିତ । କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ବିମୁଦ୍ରିକରଣ, ସର୍ଦ୍ଦାର ବଲ୍ଲଭଭାଇଙ୍କ ପ୍ରତିମୂର୍ତ୍ତି ନିର୍ମାଣ, ନୂଆ ସଂସଦ ଭବନର ନିର୍ମାଣ ପରି ମେଗା ପ୍ରୋଜେକ୍ଟ କେବଳ ଅମିତଙ୍କ ପରି ବୁଦ୍ଧିମାନ, ଚତୁର, ସାହସୀଙ୍କ ପକ୍ଷେ ସମ୍ଭବ ହୋଇପାରେ । ଆଜି ଭାଜପା ଭାରତବର୍ଷରେ ଏଭଳି ସ୍ଥିତିରେ ପହଞ୍ଚିଛି, ୭ ବର୍ଷ ଶାସନ କରିବା ପରେ ମଧ୍ୟ ଦଳର ଛବି ମଳିନ ପଡ଼ିନାହିଁ । ଆଜି ଅମିତ ଶାହ ହେଉଛନ୍ତି ମୋଦିଙ୍କ ପରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ନେତା, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.