fbpx

ପ୍ରଶାନ୍ତ କିଶୋର ଭେଟ ହୋଇ ସିଦ୍ଧୁ ଲେଖିଲେ, ପୁରୁଣା ମଦ ଏବଂ ପୁରୁଣା ବନ୍ଧୁମାନେ ସର୍ବୋତ୍ତମ

ନୂଆଦିଲ୍ଲୀ: କଂଗ୍ରେସରେ ଯୋଗଦେବା ପାଇଁ ମନା କରି ଦେଇଛନ୍ତି ପ୍ରଶାନ୍ତ କିଶୋର । ଏହା ପରେ ରାଜନୈତିକ ମହଲରେ ତାଙ୍କ ନିଷ୍ପତି ନେଇ ପ୍ରତିକ୍ରିୟା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପ୍ରଶାନ୍ତ କିଶୋରଙ୍କ ସହ ସେଲଫି ପୋଷ୍ଟ କରିଛନ୍ତି। ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ପୁରାତନ ବନ୍ଧୁ ପ୍ରଶାନ୍ତ କିଶୋରଙ୍କ ସହ ଏକ ଚମତ୍କାର ସାକ୍ଷାତ ହୋଇଛି।

ବାସ୍ତବରେ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ପ୍ରଶାନ୍ତ କିଶୋରଙ୍କ ସହ ଟ୍ୱିଟରରେ ସେଲଫି ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ ମୁଁ ମୋର ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ କରିଛି। ଏହା ସହିତ ସେ ଏହା ମଧ୍ୟ ଲେଖିଛନ୍ତି ଯେ ପୁରୁଣା ମଦ, ପୁରୁଣା ସୁନା ଏବଂ ପୁରୁଣା ବନ୍ଧୁମାନେ ସର୍ବଶ୍ରେଷ୍ଠ । ସିଦ୍ଧୁଙ୍କ ଏହି ଫଟୋ ଏବଂ ତାଙ୍କ କ୍ୟାପସନ୍ ଭାଇରାଲ୍ ହେବାରେ ଲାଗିଛି ।

ଏହାପୂର୍ବରୁ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଦିନ ସେ ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥି ସହିତ କଂଗ୍ରେସ ତରଫରୁ ମଧ୍ୟ କୁହାଯାଇଛି ଯେ ପ୍ରଶାନ୍ତ କିଶୋର କଂଗ୍ରେସର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେ ଦଳରେ ଯୋଗ ଦେଉ ନାହାଁନ୍ତି।

ବହୁ ଦିନ ଧରି ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କେବଳ ଏତିକି ନୁହେଁ, ପ୍ରଶାନ୍ତ କିଶୋର ମଧ୍ୟ ୨୦୨୪ ର ସାଧାରଣ ନିର୍ବାଚନ ସମ୍ପର୍କରେ କଂଗ୍ରେସ ନେତୃତ୍ୱଙ୍କ ସମ୍ମୁଖରେ ଏକ ଉପସ୍ଥାପନା କରିଥିଲେ। ଏ ସମ୍ପର୍କରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ମଧ୍ୟ ଏହାର ରିପୋର୍ଟ ଦାଖଲ କରିଥିଲା ଏବଂ ସୋନିଆ ଗାନ୍ଧୀଙ୍କୁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିଲା।

Get real time updates directly on you device, subscribe now.