fbpx

ଓଡ଼ିଶାରେ କଂଗ୍ରେସର ସ୍ଥିତି କ’ଣ ଓଡ଼ିଶା ଲୋକଙ୍କୁ ପଚାରନ୍ତୁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ସାରା ଦେଶରେ କଂଗ୍ରେସ ଛବି ମଳିନ ହୋଇସାରିଛି । ସେମାନେ ଯେତେ ସମାବଶେ କରନ୍ତୁ ବା ନ୍ୟାୟ ଯାତ୍ରା କରନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସମୟ ଥିଲା କଂଗ୍ରେସ ସୁଦୃଢ଼ ଥିଲା କିନ୍ତୁ ବର୍ତମାନ ନୀତି-ନିୟମ ଏବଂ ନେତୃତ୍ୱର ପ୍ରଶ୍ନ ଉଠିଛି । ଏହା ସହ ଅପରାଜିତା କହିଛନ୍ତି ଯେ, ‘କଂଗ୍ରେସର ଆତ୍ମ ସମୀକ୍ଷା କରିବାର ସମୟ ଆସିଛି। ଓଡିଶାରେ କଂଗ୍ରେସର ସ୍ଥିତି କ’ଣ ଓଡିଶା ଲୋକଙ୍କୁ ପଚାରନ୍ତୁ ବୋଲି ଅପରାଜିତା କହିଛନ୍ତି । ତେବେ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ।

ମିଳିଥିବା ସୂଚନା ଅନୁଯାୟୀ, ଖଡ଼ଗେ ଦିନ ୧୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହା ପରେ ଲୋୟର ପିଏମଜିରେ ଓଡ଼ିଶା ବଞ୍ଚାଓ ସମାବେଶରେ ଯୋଗଦାନ କରିବେ । ଏହି ସମାବେଶରେ କଂଗ୍ରେସର ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳ ସଭାପତି ଯୋଗଦେବେ। ଏଥିସହ ପଞ୍ଚାୟତ କର୍ମୀଙ୍କ ସହ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ। ଏହାକୁ ନେଇ କଂଗ୍ରେସ ତାର ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିବା କଂଗ୍ରେସ, ଏହି ସମାବେଶ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଥିବା କୁହାଯାଉଛି। ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଆସନ୍ତାକାଲି ଖଡ଼ଗେ ଓଡିଶା ଆସୁଥିବା ବେଳେ ଫ୍ରେବୃଆରି ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨ ଥର ଓଡିଶା ଗସ୍ତ ରହିଥିବା ଜଣାପଡିଛି।

Get real time updates directly on you device, subscribe now.