fbpx

ରାଜନୈତିକ କାରଣରୁ ବୃଦ୍ଧି ପାଇଛି ପୁରସ୍କାର ଫେରାଇ ଦେବା ପ୍ରକ୍ରିୟା, ହତୋତ୍ସାହିତ କରିବାକୁ ସଂସଦୀୟ ସମିତିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ନୂଆଦିଲ୍ଲୀ: ସରକାରଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରୁଥିବା ବ୍ୟକ୍ତି ସମ୍ମାନ ନେବା ପୂର୍ବରୁ ନିଜର ଲିଖିତ ସହମତି ଦେବା ଉଚିତ ଓ ଏକ ପ୍ରତିଶ୍ରୁତି ପତ୍ର ଉପରେ ହସ୍ତାକ୍ଷର କରିବା ଉଚିତ । ରାଜନୈତିକ କାରଣରୁ ପୁରସ୍କାର ବିଜେତା ପୁରସ୍କାର ପ୍ରାପ୍ତ କରିବା ପରେ ଏହାକୁ ଫେରାଇ ଦେବା ପ୍ରକ୍ରିୟାକୁ ହତୋତ୍ସାହିତ କରିବାକୁ ଏପରି ନିଷ୍ପତ୍ତି ନିଆଯିବା ନେଇ ଏକ ସଂସଦୀୟ କମିଟି ପ୍ରସ୍ତାବ ରଖିଛି । ଆଜିକାଲି ଏହି ପୁରସ୍କାର ଫେରାଇବା ପ୍ରକ୍ରିୟା ବହୁତ ବଢିଯାଇଛି ।

ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଉପରେ ଗଠିତ ସଂସଦୀୟ ସମିତି ସୋମବାର ସଂସଦରେ ରାଷ୍ଟ୍ରୀୟ ଏକାଡେମୀ ଓ ଅନ୍ୟ ସାଂସ୍କୃତିକ ସଂସ୍ଥାର କାର୍ଯ୍ୟପ୍ରଣାଳୀ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରିଛି । ସମିତି ପ୍ରସ୍ତାବ ରଖିଛି ଯେ, ଯେତେବେଳେ କି କୌଣସି ପୁରସ୍କାର ଦିଆଯାଉଛି ସେତେବେଳେ ପୁରସ୍କାର ପ୍ରାପ୍ତ କରୁଥିବା ବ୍ୟକ୍ତିର ସହମତି ନିଶ୍ଚୟ ନିଆଯାଉ । ଫଳରେ ସଂପୃକ୍ତ ବ୍ୟକ୍ତି କୌଣସି ରାଜନୈତିକ କାରଣରୁୁ ଏହାକୁ ଆଉ ପରେ ଫେରସ୍ତ କରିବେ ନାହିଁ । କାରଣ ଏହା ଦେଶ ଲାଗି ଏକ ଅପମାନର କଥା । ସମିତିର ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଡା. ସୋନାଲ ମାନ ସିଂହ, ମନୋଜ ତିୱାରୀ, ଛେଦୀ ପହଲବାନ, ଦୀନେଶ ଲାଲ ଯାଦବ, ତୀରଥ ସିଂ ରାୱତ, ରଜନୀ ପାଟିଲ, ରାଜୀବ ପ୍ରତାପ ରୁଡୀ ପ୍ରମୁଖ ।

ସମିତି ଆହୁରି କହିଛି ସାହିତ୍ୟ ଏକାଡେମୀ ଓ ଅନ୍ୟ ସଂସ୍ଥାନଗୁଡିକ କୌଣସି ରାଜନୈତକ ସଂଗଠନ ନୁହଁନ୍ତି । ଏଥିରେ ରାଜନୀତିର କୌଣସି ସ୍ଥାନ ନାହିଁ । ପୁରସ୍କାର ଫେରାଇ ଦେବା ପରି ଘଟଣା ଅନ୍ୟ ପୁରସ୍କାର ବିଜେତାଙ୍କ ଉପଲବ୍ଧିକୁ ମଧ୍ୟ ଦୂର୍ବଳ କରି ଦେଇଥାଏ ଏବଂ ପୁରସ୍କାରର ସମଗ୍ର ପ୍ରତିଷ୍ଠା ଓ ସମ୍ମାନକୁ ମଧ୍ୟ ପ୍ରଭାବିତ କରିଥାଏ । ଏଣୁ ଏକ ଏପରି ପ୍ରଣାଳୀ ତିଆରି ହେବା ଉଚିତ ଯେଉଁଠି ପୁରସ୍କାର ପାଇଁ ସ୍ୱୀକୃତି ଦେବା ସମୟରେ ପୁରସ୍କାର ବିଜେତାଙ୍କ ଠାରୁ ଲିଖିତ ଆକାରରେ ପ୍ରତିଶ୍ରୁତି ନିଆଯିବ କି ଭବିଷ୍ୟତରେ କୌଣସି ବି ସମୟରେ ସେ ଯେପରି ପୁରସ୍କାରର ଅପମାନ ନ କରିବେ । ଏପରି ପ୍ରତିଶ୍ରୁତି ବିନା ପୁରସ୍କାର ଦିଆ ନ ଯାଉ ବୋଲି ସମିତି ପ୍ରସ୍ତାବ ଦେଇଛି ।

Get real time updates directly on you device, subscribe now.