CHARIDHAM

ସ୍ୱାଭାବିକ ଠାରୁ ୬ ଡିଗ୍ରୀ ଉପରେ ପାରଦ, ବିଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇପାରେ ରାଜଧାନୀ

ଭୁବନେଶ୍ୱର: ଶୀତ ଦିନରେ ତାତିର ପ୍ରଭାବ। ବସନ୍ତରେ ଆଉ ବହୁନି ମଳୟ ପବନ। ଧୀରେଧୀରେ ଉତ୍ତପ୍ତ ହେଉଛି ଓଡ଼ିଶା। ଯେଉଁ ସମୟରେ ଓଡ଼ିଶାରେ ଥଣ୍ଡାର ପ୍ରାଦୁର୍ଭାବ ଦେଖାଦେବା କଥା ସେହି ସମୟରେ ହିଁ ସୂର୍ଯ୍ୟଙ୍କର ପ୍ରଚଣ୍ଡ କୋପ। ଜଳବାୟୁ ପରିବର୍ତ୍ତନର ଇଏ ହେଉଛି ସାଙ୍ଘାତିକ ପ୍ରଭାବ। ସକାଳ ୮ଟାରୁ ମାଲୁମ ହେଉଛି ସୂର୍ଯ୍ୟଙ୍କ ତେଜ। ଟିକିଏ ଏପାଖ ସେପାଖ ହେଲେ ଦେହ ଆଉ ମୁଣ୍ଡରୁ ବୋହି ଯାଉଛି ଝାଳ। ଏହି ସମୟରେ ତାପମାତ୍ରା ଯାହା ରହିବା କଥା ତା’ଠାରୁ ଅଧିକ ରହୁଥିବାରୁ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପ ନେବାର ଆଶଙ୍କା ଦେଖାଦେଇଛି।

ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରହୁଛି। ରାଜଧାନୀ ଭୁବନେଶ୍ୱରର ମଧ୍ୟ ରେକର୍ଡ କରିଛି ତାପମାତ୍ରା। ପାରଦ ୩୪ ଡିଗ୍ରୀ ଡେଇଁଯାଇଛି। ଗୁରୁବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ୩୫ ଡିଗ୍ରୀ ରହିଛି। ଭୁବନେଶ୍ୱରର ତାପମାତ୍ରା ଥିଲା ୩୪.୨ ଡିଗ୍ରୀ। ଏବେଠୁ ଖରାର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଆଗକୁ ସ୍ଥିତି ଅସମ୍ଭାଳ ରୂପ ନେଇପାରେ। ଏପରିକି ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ୧୦ଟି ସହରରେ ଏବେ ତାପମାତ୍ରା ସ୍ୱାଭାବିକ ଠାରୁ ଯଥେଷ୍ଟ ଉପରେ ରହିଛି। ସେହି ସହରଗୁଡ଼ିକ ହେଲା-ବାଲେଶ୍ୱର, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ପାରାଦ୍ୱୀପ, ଚାନ୍ଦବାଲି, କେନ୍ଦୁଝର, ଭୁବନେଶ୍ୱର, ବଲାଙ୍ଗିର। ତେବେ ବର୍ତ୍ତମାନ ଠାରୁ ଖରାର ତେଜ ଅସମ୍ଭାଳ ରୂପ ନେଉଥିବା ବେଳେ ଦିନ ୧୧ଟା ପରେ ରାସ୍ତାଘାଟ ମଧ୍ୟ ଶୂନଶାନ ହୋଇ ପଡ଼ୁଛି। ଏପରିକି ଦୋକାନ ବଜାର ବନ୍ଦ ହେଉଥିବାର ଦେଖିବାକୁ ମିଳୁଛି। ତେବେ ଜଳବାୟୁର ଏହି ପରିବର୍ତ୍ତନ ଆଗାମୀ ଦିନରେ ଓଡ଼ିଶା ପାଇଁ କି ସନ୍ଦେଶ ଆଣି ଦେଉଛି ତା ଉପରେ ସମସ୍ତଙ୍କ ନଜର।