ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତି ଅୱଧ ଓଝାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସେ ଆମ୍ ଆଦମୀ ପାର୍ଟି(ଆପ୍)ରେ ସାମିଲ ହୋଇଛନ୍ତି । ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଏହି ସମୟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ ।
ଦିଲ୍ଲୀର ଶିକ୍ଷା କ୍ରାନ୍ତିରୁ ପ୍ରଭାବିତ ହୋଇ ଅୱଧ ଦଳରେ ସାମିଲ ହୋଇଥିବା ମନୀଷ ଦଳ ତରଫରୁ କହିଥିଲେ । ଆମ ପ୍ରୟାସକୁ ଆହୁରୀ ଆଗକୁ ନେବା ପାଇଁ ତାଙ୍କୁ ଆପ୍ ପରିବାରକୁ ସ୍ୱାଗତ ଜଣାଉଛି । ଦଳରେ ସାମିଲ ହୋଇ ଅୱଧ ଓଝା କହିଥିଲେ, ‘ଦଳରେ ସାମିଲ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା କ୍ଷେତ୍ରରେ ବିକାଶ । ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆ ମୋତେ ରାଜନୀତିରେ ଶିକ୍ଷା ବିଭାଗର ଦାୟିତ୍ୱ ଦେଇଛନ୍ତି ।’ କହିରଖୁଛୁ ଉତ୍ତରପ୍ରଦେଶର ଗୋଣ୍ଡା ସହରର ସେ ଜଣେ UPSC ଶିକ୍ଷକ ଏବଂ ମୋଟିଭେସନାଲ ସ୍ପିକର । ଉକ୍ତ ଅଞ୍ଚଳରେ ସେ ଓଝା ସାର ଭାବରେ ବେଶ ଲୋକପ୍ରିୟ । ଆପରେ ସାମିଲ ହେବା ପରେ ଅୱଧ ଓଝା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିପାରନ୍ତି । ଏହା ସହ ସେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି ।
#WATCH | Awadh Ojha joins Aam Aadmi Party in the presence of party national convenor Arvind Kejriwal and leader Manish Sisodia. pic.twitter.com/14Xyev3rPN
— ANI (@ANI) December 2, 2024