fbpx

ଏବେ ବି ଅବହେଳିତ ବଣ୍ଡାଘାଟିର କିଛପଡା ଗ୍ରାମ

ଖଇରପୁଟ, ୭/୨ :- ଆଦିମ ଜନଜାତିଙ୍କ ଦୁଃଖ ଦୁର୍ଦ୍ଦଶାର ଅନେକ ବ୍ୟଥାର କଥା ଆମେ ଅନେକ ଥର ଦେଖିଛୁ। କିନ୍ତୁ ଆଜି ଆମେ ଏମିତି ଏକ ଗ୍ରାମର କଥା କହିବୁ ଯେଉଁଠି ବିକାଶର ନଗ୍ନ ଚିତ୍ର ବଖାଣୁଛି । ସେ ସବୁ କଥା ଛାଡ଼ନ୍ତୁ ନିଜର ଭବିଷ୍ୟତ ଅବା ଗଢିବେ କେମିତି ନା  ଅଛି ସ୍କୁଲ ନା ଅଛି ଅଙ୍ଗନବାଡି କେନ୍ଦ୍ର। ଯିଏ ବାହାର ସ୍ଥାନକୁ ଯାଇ ପଢିଲେ ତ ପଢିଲା କିନ୍ତୁ ଗାଁ ରେ ରହିଲେ ଅନ୍ଧକାର ଏମାନଙ୍କ ଭବିଷ୍ୟତ।ଏ ଦୁର୍ଭାଗ୍ୟ ଜନକ ଦୃଶ୍ୟ ଆମ ରାଜ୍ୟର ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର କିଛପଡା ଗାଁ। ବଣ୍ଡାଘାଟିର ମୁଦୁଲିପଡାକୁ ଯାଇ ସେଠାରୁ ବାଇକ ଯୋଗେ ପିଣ୍ଡାଜଙ୍ଗର ଗାଁ କୁ ଗଲା ପରେ ସେଠାରୁ ପ୍ରାୟ ୭ କିମି ଚାଲି ଚାଲି ୩ ଟି ପାହାଡ଼ ଡେଇଁବା ପରେ ପଡେ କିଛପଡା ଗାଁ ତା ସାଙ୍ଗକୁ ଭୈରଗୁଡା,ମସାନଗୁଡା ଓ ବେଲଗୁଡା ମଧ୍ୟ ଏହି କିଛପଡା କୁ ଲାଗିରହିଛି।ଏପଟେ ଗାଁ ର ମୁଖିଆଙ୍କୁ ପଚାରିବାରୁ ସେ କହିଲେ”କୋଉ ସରକାରୀ ବାବୁ ଥରେ ବି ଆମ ଗ୍ରାମକୁ ଆସିନାହାନ୍ତି ଆଜ୍ଞା।ଆସିଲେ ତ ଜାଣିବେ ଆମେ କେମିତି ଅଛୁ କେମିତି ବଞ୍ଚୁଛୁ”। ୪ ଟି ଗାଁର ପ୍ରାୟ ୧୦୦ ରୁ ଉର୍ଦ୍ଧ ଘର ତା ସାଙ୍ଗକୁ ୪୦୦ ରୁ ଅଧିକ ଲୋକ ଏଭଳି ଯନ୍ତ୍ରଣାରେ ଯାତାୟତ କରି ନିଜ ଜୀବନକୁ ବାଜି ଲଗାଉଛନ୍ତି।ପାନୀୟଜଳ କଥା ଛାଡ଼ନ୍ତୁ ଯାହା ଆପଣଙ୍କୁ ବି ଆବାକ କରିବ।ଏମାନେ ଏମିତି ପାଣି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ଯାହା ସ୍ନାନ ଶୌଚ ପାଇଁ ବି ଅନୁପଯୋଗୀ। ଚାଉଳ ଆଣିବା ପାଇଁ ଏମାନେ ୧୦ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟ ମୁଦୁଲିପଡାକୁ ଯାଇ ଏମାନେ ଚାଉଳ ଅବା ନିଜର ରାସନ ସାମଗ୍ରୀ ଆଣନ୍ତି। ଏପଟେ ଗାଁ ର ଜଣେ ମହିଳା କୋହ ଭରା କଣ୍ଠରେ କହିଲେ”ଆଜ୍ଞା ମୋ ବୟସ ୫୪ ହେଲେ ଚାଉଳ ଆଣିବା ପାଇଁ ମତେ ପାହାଡ଼ ଚଢି ଯିବାକୁ ପଡୁଛି। ଭତ୍ତା ପାଇଁ ଆମେ ୩ ଟି ପାହାଡ଼ ଓଲ୍ଲାଇ ଆମେ ମୁଦୁଲିପଡା ପଞ୍ଚାୟତକୁ ଯାଉଛୁ।ଏତେ ବର୍ଷ ହେବ ଥରେ ହେଲେବି ଆମ କଥା କେହି ବୁଝୁନାହାନ୍ତି  ସରପଞ୍ଚ ମଧ୍ୟ ଆମ କଥା ବୁଝୁନାହାନ୍ତି”। ଗୋଟିଏ ବି କାହାରି ଘର ସରକାରୀ ନୁହଁ କି କୌଣସି ଏକ ସରକାରୀ ଅନୁଦାନ ଏହି ଗାଁ ରେ ପହଞ୍ଚିନି। ସେସବୁ ପରେ ଆମେ ଖଇରପୁଟ ବିଡିଓ ହୃଦ ରଞ୍ଜନ ସାହୁଙ୍କ ସହ ଆଲୋଚନା କରିଥିଲୁ ଆଉ ସେ ଗାଁ ଗୁଡିକର ବାସ୍ତବତା ତାଙ୍କ ନିକଟରେ ଉପସ୍ଥାପନା କରିଥିଲୁ ଓ ପରିଶେଷରେ ସେ କହିଥିଲେ “ସେଭଳି ଗାଁ ଗୁଡିକ ପାଇଁ ଆମେ ରାସ୍ତା ଓ ଉନ୍ନୟନମୂଳକ କାମ କରିବା ପାଇଁ ଆମେ ଜିଲ୍ଲାପାଳଙ୍କୁ ଚିଠି ଲେଖୁଛୁ।ଆଉ ଅତି ଶୀଘ୍ର ସେସବୁ ଗାଁ କୁ ରାସ୍ତା ହେବ ବୋଲି ମୋ ଆଶା”।

Get real time updates directly on you device, subscribe now.