fbpx

ଟେଷ୍ଟ କ୍ରିକେଟରେ ୧୦୦ ମ୍ୟାଚ୍ ହାରିବାରେ ନବମ ଟିମ୍ ହେଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଅନ୍ତିମ ମୁକାବିଲା ସେଣ୍ଟ ଲୁସିଆରେ ଖେଳାଯାଇଛି। ଏହି ମ୍ୟାଚରେ ଭ୍ରମଣକାରୀ ବାଂଲାଦେଶ ଘରୋଇ ଦଳଠୁ ୧୦ ଓ୍ଵିକେଟରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ପରାଜୟ ସହ ବାଂଲାଦେଶ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇ ଯାଇଛି। ଟେଷ୍ଟ କ୍ରିକେଟରେ ୧୦୦ ମୁକାବିଲା ହାରିବାରେ ନବମ ଦଳ ପାଲଟିଛି ବାଂଲାଦେଶ। ଭାରତ ବିପକ୍ଷରେ ୨୦୦୦ ମସିହାରେ ଟେଷ୍ଟ ଡେବ୍ୟୁ କରିଥିବା ବାଂଲାଦେଶ ଅଦ୍ୟାବଧି କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରେ ମୋଟ୍ ୧୩୪ଟି ମ୍ୟାଚ୍ ଖେଳିଛି। ଏଥିରେ ଦଳ ୧୬ଟି ଜିତିଥିବା ବେଳେ ୧୦୦ ମ୍ୟାଚରେ ପରାଜୟର ମୁହଁ ଦେଖିବାକୁ ପଡିଛି। ଆସନ୍ତୁ ଜାଣିବା ଟେଷ୍ଟ କ୍ରିକେଟରେ କେଉଁ ଦଳ ଏ ପର‌୍ୟ୍ୟନ୍ତ କେତେ ମ୍ୟାଚ୍ ହାରିଛନ୍ତି।

ଟେଷ୍ଟ କ୍ରିକେଟରେ ୧୦୦ କିମ୍ବା ସେଥିରୁ ଅଧିକ ମ୍ୟାଚ୍ ହାରିଥିବା ଦଳ
ଇଂଲଣ୍ଡ- ୩୧୬
ଅଷ୍ଟ୍ରେଲିଆ- ୨୨୬
ଓ୍ଵେଷ୍ଟଇଣ୍ଡିଜ- ୨୦୪
ନ୍ୟୁଜିଲାଣ୍ଡ- ୧୮୧
ଭାରତ- ୧୭୩
ଦକ୍ଷିଣ ଆଫ୍ରିକା- ୧୫୪
ପାକିସ୍ତାନ- ୧୩୫
ଶ୍ରୀଲଙ୍କା- ୧୧୫
ବାଂଲାଦେଶ- ୧୦୦

ମ୍ୟାଚ୍ ଉପରେ ନଜର ପକାଇଲେ ଚତୁର୍ଥ ଦିନରେ ବାଂଲାଦେଶ ଇଣ୍ଡିଜ ସମ୍ମୁଖରେ ମାତ୍ର ୧୩ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଘରୋଇ ଓ୍ଵେଷ୍ଟଇଣ୍ଡିଜ ବିନା ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି। ଦଳର ବିଜୟରେ ହିରୋ ସାଜିଛନ୍ତି କାଇଲ ମେୟର୍ସ। ସେ ପ୍ରଥମ ଇନିଂସରେ ୧୪୬ ରନର ଇନିଂସ ଖେଳି ଇଣ୍ଡିଜକୁ ମହତ୍ଵପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ଏହି ସିରିଜରେ ସେ ସର୍ବାଧିକ ରନ କରିବା ସହ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ୨୩୪ ରନରେ ଅଲଆଉଟ୍ ହୋଇଥିଲା। ପରେ ଇଣ୍ଡିଜ ୪୦୮ ରନ କରିଥିଲା ଏବଂ ଭ୍ରମଣକାରୀ ବାଂଲାଦେଶଠୁ ୧୭୪ ରନରେ ଅଗ୍ରଣୀ ହାସଲ କରିଥିଲା। ବାଂଲାଦେଶ ଦ୍ଵିତୀୟ ଇନିଂସରେ ୧୮୬ ରନରେ ଅଲଆଉଟ୍ ହୋଇଥିଲା।

 

Get real time updates directly on you device, subscribe now.