ଓଡିଶାଭାସ୍କର: ଡିଜିଟାଲ୍ ଯୁଗରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଲାପଟପ୍ ସାମ୍ନାରେ ବସି କାମ କରିବାକୁ ପଡୁଛି। କାମ କରିବା ସମୟରେ ଲୋକମାନେ ପ୍ରାୟତଃ ଡେସ୍କରେ ବହୁ ସମୟ ଧରି ବସି ରହୁଛନ୍ତି।
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି କାମ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଦୀର୍ଘ ସମୟ ଧରି ବସି କାମ କରିବା ଦ୍ୱାରା କ’ଣ ସବୁ ସମସ୍ୟା ହୋଇପାରେ। ଏନେଇ ବିଶେଷଜ୍ଞଙ୍କ ମତ କ’ଣ ଆସନ୍ତୁ ଜାଣିବା।
ଡେସ୍କରେ ଦୀର୍ଘ ସମୟ ବସିଲେ କ’ଣ ହୁଏ:
ପିଠି ଏବଂ ବେକରେ ଯନ୍ତ୍ରଣା: ଲଗାତାର ବସିବା ଦ୍ଵାରା ପିଠି, ବେକ ଏବଂ କାନ୍ଧର ମାଂସପେଶୀରେ ଟାଣ ସୃଷ୍ଟି ହୁଏ। ଏହା ଯନ୍ତ୍ରଣା ଏବଂ କଠିନତାର ସମସ୍ୟାକୁ ବୃଦ୍ଧି କରେ। ଭୁଲ ପୋଜିସନରେ ବସିବା ଦ୍ୱାରା ମେରୁଦଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।
ଟାଇପ୍ ୨ ମଧୁମେହ: ଯେତେବେଳେ ଆମେ ବସି ବସି କାମ କରୁ, ଆମର ଶରୀର ଇନସୁଲିନ୍ ସଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ। ଏହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିପାରେ ଏବଂ ଟାଇପ୍ ୨ ମଧୁମେହ ହେବାର ଆଶଙ୍କା ବଢ଼ାଇପାରେ।
ଦ୍ରୁତ ଓଜନ ବୃଦ୍ଧି: କମ ଶାରୀରିକ କାର୍ଯ୍ୟକଳାପ ଯୋଗୁଁ କ୍ୟାଲୋରୀ ନଷ୍ଟ ହୁଏ ନାହିଁ, ଯାହା ଶରୀରରେ ଚର୍ବି ଜମା କରେ। ଏହା ଦ୍ରୁତ ଓଜନ ବୃଦ୍ଧି ଏବଂ ମୋଟାପଣର କାରଣ ହୋଇଥାଏ। ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ହୃଦରୋଗ: ଦୀର୍ଘ ସମୟ ଧରି ବସି ରହିବା ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଏହା କୋଲେଷ୍ଟ୍ରଲକୁ ବୃଦ୍ଧି କରେ ଯାହା ରକ୍ତଚାପକୁ ମଧ୍ୟ ବୃଦ୍ଧି କରେ, ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବୃଦ୍ଧି କରେ।
ସୁସ୍ଥ ଶରୀର ପାଇଁ ଅଫିସରେ ଏହି କାମ କରନ୍ତୁ:
ପ୍ରତି ଘଣ୍ଟାରେ ବିରତି ନିଅନ୍ତୁ: ପ୍ରତି ୩୦ ରୁ ୬୦ ମିନିଟ୍ ପାଇଁ ଏକ ଟାଇମର ସେଟ୍ କରନ୍ତୁ। ଆଲାର୍ମ ବାଜିଲେ ଆପଣଙ୍କ ସିଟ୍ ରୁ ଉଠି ୨-୩ ମିନିଟ୍ ପାଇଁ ଚାଲନ୍ତୁ। ଚାଲିବା ସହିତ ଆପଣ ୧୦ ଟି ଏୟାର ସ୍କ୍ୱାଟ୍ କିମ୍ବା କିଛି ହାଲୁକା ଷ୍ଟ୍ରେଚିଂ ବ୍ୟାୟାମ ମଧ୍ୟ କରିପାରିବେ।
ଘରେ ତିଆରି ଖାଦ୍ୟ ଖାଆନ୍ତୁ: ଚେଷ୍ଟା କରନ୍ତୁ ଯେପରି ବାହାର ଖାଦ୍ୟରୁ ଦୂରେଇ ରହିବେ। ଘରେ ନିଜେ ତିଆରି କରି ଖାଦ୍ୟ କାଆନ୍ତୁ। ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ।
ସଠିକ୍ ପରିମାଣରେ ପାଣି ପିଅନ୍ତୁ: ଆପଣଙ୍କ ଡେସ୍କରେ ସବୁବେଳେ ଏକ ପାଣି ବୋତଲ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଶୋଷ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ସାମାନ୍ୟ ଜଳହୀନତା ଥକ୍କାପଣ ଆଣିପାରେ। ତେଣୁ ଦିନସାରା ପାଣି ପିଇ ଚାଲନ୍ତୁ।
ମନକୁ ଆରାମ ଦିଅନ୍ତୁ: କାମ ମଧ୍ୟରେ ଛୋଟ ଛୋଟ ବିରତି ନିଅନ୍ତୁ ଏବଂ ମନକୁ ଆରାମ ଦିଅନ୍ତୁ। କିଛି ବ୍ୟାୟାମ କରନ୍ତୁ କିମ୍ବା କିଛି ସମୟ ପାଇଁ ବାହାରକୁ ଯାଆନ୍ତୁ। ଏହା ଆପଣଙ୍କ ଚାପ କମ କରିବାରେ ସାହାଯ୍ୟ କରେ।