fbpx

ନିଜ ମନ୍ତ୍ରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ: ସରକାର ଗଠନ ହେବାର କେଇ ମାସ ନଯାଉଣୁ ଆକ୍ସନ ନେବା ଆରମ୍ଭ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ସେ ନିଜ ସରକାରର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ମାନ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଛନ୍ତି। ଏପରିକି ସିଙ୍ଗଲାଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜୟ ସିଙ୍ଗଲା ଅଧିକାରୀଙ୍କଠୁ ଠିକା ବାବଦରେ ଏକ ପ୍ରତିଶତ କମିଶନ ଦାବି କରିବା ଏବଂ ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ଆସିଥିଲା। ସ୍ଵାସ୍ଥ୍ୟ ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବାର ବଳିଷ୍ଠ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ବିଜୟ ସିଙ୍ଗଲାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଘୋଷଣା କରି ସ୍ପଷ୍ଟ କରିଛନ୍ତି, ଆମେ ଏକ ପ୍ରତିଶତ ଦୁର୍ନୀତିକୁ ମଧ୍ୟ ବରଦାସ୍ତ କରିବୁ ନାହିଁ। ଜନତା ବହୁତ ଆଶା ନେଇ ଆମ୍ ଆଦମୀ ପାର୍ଟିକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଛନ୍ତି। ତାଙ୍କ ଆଶାକୁ ପୂରଣ କରିବା ଆମର କର୍ତ୍ତବ୍ୟ। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପରି ଭାରତ ମାତାର ପୁଅ ଏବଂ ଭଗଓ୍ଵନ୍ତ ମାନଙ୍କ ପରି ସିପାହୀ ଅଛନ୍ତି, ସେ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ବିରୋଧୀରେ ମହାଯୁଦ୍ଧ ଜାରି ରହିବ।

ପଞ୍ଜାବରେ କୌଣସି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ପ୍ରଥମ ଘଟଣା। ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି ଦୁର୍ନୀତକୁ ନେଇ ଶାସକ କଂଗ୍ରେସ ଉପରେ ହମଲା କରିଥିଲା। ପାର୍ଟି ସିଷ୍ଟମର ମୂଳ ପର୍ଯ୍ୟନ୍ତ ଥିବା ଦୁର୍ନୀତିକୁ ଉଖାଡି ଫିଙ୍ଗିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

Get real time updates directly on you device, subscribe now.