fbpx

(Video) ରଥଖଳା ପାଲଟିଗଲା ରଣକ୍ଷେତ୍ର: ଅଣସେବାୟତଙ୍କ ମାଡ଼ରେ ସେବାୟତ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ କିଛି ଅଘଟଣ ଦେଖିବାକୁ ମିଳିଥିଲା । ପୂର୍ବରୁ ଏପରି ଅଘଟଣ ଦେଖିବାକୁ ମିଳିନଥିଲା । ଚଳିତ ବର୍ଷ ରଥଯାତ୍ରାରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିବା ସହିତ ବହୁ ଆହତ ହୋଇଥିଲେ । ସେହିପରି ରଥ ଟଣା ସରିବା ପରେ ଆଡ଼ପ ପହଣ୍ଡି ସମୟରେ ବଡ଼ ଠାକୁର ବଳଭଦ୍ର ତଳେ ପଡ଼ିଯାଇଥିଲେ । ଜଣେ ସେବାୟତଙ୍କ ଗୋଡ଼ ଖସିଯିବାରୁ ଏହି ଅଘଟଣ ଘଟିଥିଲା । ଉକ୍ତ ଘଟଣାକୁ ନେଇ ନେଇ ଏବେ ବି ସେବାୟତ ଓ ଭକ୍ତ ମହଲରେ ଆଶଙ୍କା ଦେଖିବାକୁ ମିଳିଛି । କାହିଁକି ପ୍ରଭୁଙ୍କ ସେବାରେ ଏପରି ବ୍ୟତିକ୍ରମ ଘଟିଲା ତାହାକୁ ନେଇ ସମସ୍ତେ ଭୟରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ପୁଣି ଘଟିଛି ଆଉ ଏକ ବଡ଼ ଅଘଟଣ । ରଥଖଳା ପାଲଟି ଯାଇଛି ରଥକ୍ଷେତ୍ର, ଆଉ କିଛି ଅଣସେବାୟତଙ୍କ ମାଡ଼ରେ ସେବାୟତ ଆହତ ହୋଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ପୁଣି ଥରେ ଭକ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ସୋମବାର ଦିନ ବିଳମ୍ବିତ ରାତିରେ ରଥଟଣା ସରିବା ପରେ ଯାଜପୁର ଜିଲ୍ଲାରେ ଏପରି ଏକ ଅଘଟଣ ଘଟିଥିଲା । ସୁକିନ୍ଦା ଥାନା ଠାରୁ ମାତ୍ର ୫୦ କିମି ଦୂରରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ଛିଡ଼ା ହୋଇଥିବା ସମୟରେ ତିନି ଠାକୁରଙ୍କୁ ମାଉସୀ ମା’ ଗୁଣ୍ଡିଚାଙ୍କ ମନ୍ଦିରକୁ ନେବାକୁ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ତେବେ ଏହି ସମୟରେ ସୁକିନ୍ଦା ଗଡ଼ର କିଛି ଅଣ ସେବାୟତ ନିଜକୁ ସେବାୟତର ପରିଚୟ ଦେଇ ତିନି ଠାକୁରଙ୍କୁ ରଥ ତଳକୁ ଓହ୍ଲାଇବା ପାଇଁ ଜିଦ୍ କରିଥିଲେ । ଏହାକୁ ସେବାୟତମାନେ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ଧରି ସେବାୟତ ଓ ଅଣସେବାୟତଙ୍କ ମଧ୍ୟରେ କଥା କଟାକଟି ଦେଖା ଦେଇଥିଲା । ଫଳରେ ଅଣସେବାୟତମାନେ କ୍ରୋଧିତ ହୋଇ ସେବାୟତଙ୍କୁ ଅଶ୍ଲୀଳ ଭାଷାର ଗାଳିଗୁଲଜ କରିବା ସହ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ସୁକିନ୍ଦା ଥାନାରେ ଏକାଧିକ ଲିଖିତ ଅଭିଯୋଗ ହୋଇଥିଲେ ହେଁ ଘଟଣାର ୨୪ ଘଣ୍ଟା ପରେ ବି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.