ଚାଲିଛି କ୍ୟାବିନେଟ ସମ୍ପ୍ରସାରଣ:ପ୍ରସ୍ତୁତ ହେଉଛି ନିତୀଶଙ୍କ ଗଡ଼

ବିହାର: ଚାଲିଛି କ୍ୟାବିନେଟ ସମ୍ପ୍ରସାରଣ। ନୀତୀଶଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ କାର୍ୟ୍ୟକ୍ରମ ଚାଲିଛି । ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ର ୩୦ ରୁ ଅଧିକ ବିଧାୟକ ଆଜି ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି। ଶପଥ ଗ୍ରହଣ ସମାରୋହରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉପସ୍ଥିତ ନ ଥିବାବେଳେ ଆରଜେଡିରୁ ୧୬ଜଣ, ଜେଡିୟୁରୁ ୧୧ ଜଣ, କଂଗ୍ରେସରୁ ଦୁଇଜଣ, ହମରୁ ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି।

ରାଜ୍ୟପାଳ ଫଗୁ ଚୌହାନ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ସର୍ବପ୍ରଥମେ ଆରଜେଡିରୁ ବିଜୟ ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ତେଜ ପ୍ରତାପ ଯାଦବ, ଆଫାକ ଆଲାମ ଏବଂ ଆଲୋକ ମେହେଟା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଜେଡିୟୁର ଅଶୋକ ଚୌଧୁରୀ, ଶ୍ରବଣ କୁମାର, ଆରଜେଡିର ରାମାନନ୍ଦ ଯାଦବ, ସୁରେନ୍ଦ୍ର କୁମାର ଯାଦବ ଏବଂ ଲେଶି ସିଂ ଶପଥ ନେଇଥିଲେ ।

ତୃତୀୟ ରାଉଣ୍ଡରେ ପୁଣି ପାଞ୍ଚ ଜଣ ବିଧାୟକ ଶପଥ ନେଇଛନ୍ତି। ଏହି ପାଞ୍ଚଜଣ ବିଧାୟକଙ୍କ ମଧ୍ୟରେ ମଦନ ସାହନି, ଲଲିତ ଯାଦବ, ସଞ୍ଜୟ ଝା, ସନ୍ତୋଷ ସୁମନ ଏବଂ କୁମାର ସରବଜିତ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଶୀଲା ମଣ୍ଡଳ, ସୁମିତ ସିଂ, ସୁନୀଲ କୁମାର, ଚନ୍ଦ୍ରଶେଖର ଏବଂ ସମୀର ମହାସେଠ ଶପଥ ନେଇଛନ୍ତି। ପଞ୍ଚମ ରାଉଣ୍ଡରେ ଆରଜେଡି ନେତ୍ରୀ ତଥା ରାବଡି ଦେବୀଙ୍କ ଘନିଷ୍ଠ କୁହାଯାଉଥିବା ଅନୀତା ଦେବୀ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ଜେଡିୟୁ ବିଧାୟକ ଜମା ଖାନ, ଆରଜେଡି ନେତା ଜିତେନ୍ଦ୍ର ରାୟ, ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂ ଏବଂ ଜୟନ୍ତ ରାଜ ଶପଥ ନେଇଛନ୍ତି।