‘କପି’ ପ୍ରସଙ୍ଗ: ସୌମ୍ୟ କହିଲେ କୋଭିଡ୍ ତଥ୍ୟ ଲୁଚାଯାଉଛି, ସତ କହିଲେ କ୍ଷତି ହୋଇନଥାନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳର ବରିଷ୍ଠ ନେତା, ଦଳର ଉପ ସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେର୍ଚ୍ଛା ବାଣ । ଏହି ବାଣ କୌଣସି ବିରୋଧୀ ଦଳର ନେତାଙ୍କ ପ୍ରତି ନୁହେଁ ବରଂ ରହିଛି ନବୀନ ସରକାରଙ୍କ  ଉପରେ ।  ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରର ସଫଳ ମୁକାବିଲା କରି ପ୍ରଶଂସା ସାଉଁଟିଥିବା ନବୀନ ପଟ୍ଟନାୟକ ସରକାରଙ୍କୁ ଦ୍ୱିତୀୟ ଲହରରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଯାଉଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଦୈନିକ ଖବରକାଗଜ ସମ୍ବାଦରେ ନିଜର ସଂପାଦକୀୟ ଜରିଆରେ ସରକାରଙ୍କ କୋଭିଡ୍ ପରିଚାଳନ ପ୍ରତି ସେ ଅଙ୍ଗୁଳି ଉଠାଇଛନ୍ତି । ଏଥିସହ ପରୋକ୍ଷରେ ସରକାର ଏବଂ ତାଙ୍କ ପ୍ରଶାସନିକ ଅଧିକାରୀଙ୍କୁ ନିଜର ସଂପାଦକୀୟ ମାଧ୍ୟମରେ ଉପଦେଶ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କର ଏହି ଲେଖାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ସୌମ୍ୟଙ୍କ ଲେଖାକୁ ଢାଲ କରି ଭାରତୀୟ ଜନତା ପାର୍ଟି(ବିଜେପି) ସରକାରଙ୍କୁ ଟାର୍ଗେଟ୍ କରିଛି ।

‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ ଶୀର୍ଷକରେ ସୌମ୍ୟରଞ୍ଜନଙ୍କ ଏହି ଲେଖା ଜୁଲାଇ ୧ ତାରିଖରେ ସମ୍ବାଦରେ ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ । କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚା ଯାଉଥିବା ଲେଖାରେ ଦର୍ଶାଇଛନ୍ତି । ସତ ମୃତ୍ୟୁ ସଂଖ୍ୟା କହିଥିଲେ ଆମର ବିଶେଷ କ୍ଷତି ହୋଇନଥାନ୍ତା ବୋଲି ସୌମ୍ୟ ପରୋକ୍ଷରେ ବିଜୁ ଜନତା ଦଳ ସରକାରକୁ ଉପଦେଶ ଦେଇଛନ୍ତି । ସୌମ୍ୟଙ୍କ ଏହି ସଂପାଦକୀୟକୁ ପ୍ରଶଂସା କରିଛି ବିଜେପି । ଏହାକୁ ଢାଲ କରି ବିଜେପି ରାଜ୍ୟ ସରକାରଙ୍କୁ କୋଭିଡର ବାସ୍ତବ ମୃତ୍ୟୁ ସଂଖ୍ୟାକୁ ନେଇ ଘେରିବାକୁ ଉଦ୍ୟମ କରିଛନ୍ତି ।  ବିଜେପି ଆଗରୁ କହିଛି ରାଜ୍ୟ ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି । ଖବରକାଗଜରେ ଉପସ୍ଥାପିତ କରିଥିବାରୁ ସୌମ୍ୟ ବାବୁଙ୍କୁ ଧନ୍ୟବାଦ ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟପଟେ ସରକାର ତଥ୍ୟ ଲୁଚାଇ ନାହାନ୍ତି କହିଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କେଉଁଠି ତଥ୍ୟ ଲୁଚାଯାଇଛି, ତାଙ୍କ ତଥ୍ୟ ତାଙ୍କୁ ପଚାରନ୍ତୁ କହିଲେ ପ୍ରମିଳା ।

ସୂଚନାଯୋଗ୍ୟ,  ଦୈନିକ ଖବର କାଗଜ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆମଘରର ହାଲଚାଲରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ ଶୀର୍ଷକରେ ଲେଖିଛନ୍ତି, କୋଭିଡ୍ ମହାମାରୀର ଯେଉଁ କଥାଟି ସରକାରଙ୍କୁ ଅଡୁଆରେ ପକାଇଛି ତାହା ହେଉଛି କୋଭିଡ୍ ଜନିତ ମୃତ୍ୟୁର ଅସଲ ସଂଖ୍ୟା । ସର୍ବୋଚ୍ଚ ନ୍ୟାୟାଳୟ କୋଭିଡ୍ ମୃତକ ସଂଖ୍ୟା ଠିକ୍ ଭାବେ ପଞ୍ଜୀକୃତ ହେବା ଉଚିତ୍ ବୋଲି ମତ ଦେବା ପରେ ଓଡିଶାର ଉଚ୍ଚ ନ୍ୟାୟାଳୟ ମଧ୍ୟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଅନୁରୂପ ମନ୍ତବ୍ୟ ଦେଇଛନ୍ତି । ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁଁ ଓଡିଶାରେ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ଅଡୁଆରେ ନବୀନ ସରକାର । ସୌମ୍ୟ ଲେଖିଛନ୍ତି ଓଡିଶାରେ ନବୀନବାବୁଙ୍କ ପରିଚାଳନା ଶୈଳୀକୁ କେହି କେବେ ପ୍ରଶ୍ନ କରିବାକୁ ସାହସ କରିନଥିଲେ । ହୁଏତ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣକୁ ଦୂରେଇ ରଖି ଆତ୍ମ ବିଶ୍ୱାସ ବଢାଇବା ପାଇଁ ମୃତ୍ୟୁ ସଂଖ୍ୟାକୁ କମ କରି ଦେଖାଯାଉଛି । ହୋଇପାରେ  ସରକାର ଏହାକୁ ସାମୟିକ କୌଶଳ ଭାବେ ଗ୍ରହଣ କରିଥାଇ  ପାରନ୍ତି । କିନ୍ତୁ ସାରା ଦେଶର ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଆମ ରାଜ୍ୟର ମୃତ୍ୟୁ ସଂଖ୍ୟା ଆମ ଜନସଂଖ୍ୟା ଅନୁପାତରେ ଯଥେଷ୍ଟ କମ ଥିଲା। ଏବେ ଯେଉଁ ସଂଖ୍ୟା ସାମ୍ନାକୁ ଆସୁଛି ତାକୁ ଯଦି ସାମଗ୍ରିକ ଭାବେ ବିଚାର କରାଯାଏ ତେବେ ସମଗ୍ର ଦେଶରେ ମୃତ୍ୟୁ ସଂଖ୍ୟା ତୁଳନାରେ ତାହା ମଧ୍ୟ ଯଥେଷ୍ଟ କମ ହେବ । ତେଣୁ ସତ ମୃତ୍ୟୁ ସଂଖ୍ୟା କହି ଦେଇଥିଲେ ଆମର ବିଶେଷ କିଛି କ୍ଷତି ହେବାର ନଥିଲା, ବରଂ ତାକୁ ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ କରିଛି ତାହା ଶାସନର ମର୍ଯ୍ୟାଦାକୁ ନଷ୍ଟ କରୁଥିବା ସୌମ୍ୟ ଲେଖିଛନ୍ତି ।

ସେ ଏହା ମଧ୍ୟ  କହିଛନ୍ତି, ପ୍ରଶାସନର ବାମ ହାତ କଣ କରୁଛି ଡାହାଣ ହାତକୁ ଜଣା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ କନୋନା ସଂପର୍କରେ ପ୍ରକୃତ ତଥ୍ୟ ପହଞ୍ଚୁଛି କି ନାହିଁ ଜଣା ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମେ ତାଙ୍କ ନିକଟରେ ଏ କଥା ପହଞ୍ଚାଇବାର ଦାୟିତ୍ୱ ଗଣମାଧ୍ୟମର ବୋଲି ଆମେ ମନେ କଲୁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ଲେଖାରେ ଉଲ୍ଲେଖ କରିଛନ୍ତି।