ତାଜମହଲ ଜୟପୁର ରାଜ ପରିବାରର ସଂପତ୍ତି, ଜମି କବଜା କରି ନିର୍ମାଣ କରାଯାଇଛି: ବିଜେପି ସାଂସଦ

ନୂଆଦିଲ୍ଲୀ: ଆଗ୍ରାର ତାଜମହଲକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏବେଏହା ଉପରେ ରାଜସ୍ଥାନର ରାଜ ପରିବାରର ପୂର୍ବତନ ରାଜକୁମାରୀ ତଥା ବିଜେପି ସାଂସଦ ଦୀୟା କୁମାରୀ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଗ୍ରାର ତାଜମହଲ ଜୟପୁରର ରାଜ ପରିବାରର ଜାଗା ଉପରେ ନିର୍ମାଣ କରାଯାଇଛି। ଏପରିକି ତାଜମହଲ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ସେଠି ପୂର୍ବେ ଶିବ ମନ୍ଦିର ଥିବା ଅନେକ ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ତାଜମହଲକୁ ନେଇ ଏବେ ମୁହାଁମୁହିଁ ହିନ୍ଦୁ ଏବଂ ମୁସଲିମ ସଂଗଠନ।

ସେ କହିଛନ୍ତି, ମୋଗଲ ଶାସକ ଶାହଜାହାନ ଜୟପୁର ରାଜ ପରିବାରର ଜମି ହଡପ କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ପାଖରେ ଜମି ସଂପର୍କିତ କାଗଜପତ୍ର ଥିବା ଦାବି କରିଛନ୍ତି। କୋର୍ଟ କହିଲେ ସେ ସବୁ ଦସ୍ତାବିଜ ଦେଖାଇ ପାରିବେ। ତାଜମହଲର ବନ୍ଦ କୋଠରୀ ଖୋଲିବା ପାଇଁ ଅପିଲ୍ କରାଯିବା ନିଶ୍ଚିତ ରୂପେ ଭଲ ଖବର। ଏଥିରୁ ସତ୍ୟ ସାମ୍ନାକୁ ଆସିବ। ଆମେ ଏବେ ମାମଲାର ସମୀକ୍ଷା କରୁଥିବା ସେ କହିଛନ୍ତି। ତାଙ୍କର ଏହି ବୟାନ ପରେ ତାଜମହଲକୁ ନେଇ ଏକ ନୂତନ ବିତର୍କ ଆରମ୍ଭ ହୋଇ ଯାଇଛି।

ସାଂସଦ ଦୀୟା କୁମାରୀ କହିଛନ୍ତି, ତାଜମହଲର ଯେଉଁ କୋଠରୀ ବନ୍ଦ ରହିଛି ତାର ଯାଞ୍ଚ କରାଯିବା ଉଚିତ୍। ସେହି ୨୨ କୋଠରୀକୁ ଖୋଲାଯାଉ ଯଦ୍ଵାରା ଜଣା ପଡିବ ଯେ, ସେଠାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନା ଆଉ କଣ ଥିଲା। ଯଦି ଠିକ୍ ଯାଞ୍ଚ କରାଯାଏ ତେବେ ସବୁ ସ୍ପଷ୍ଟ ହୋଇଯିବ ବୋଲି ବିଜେପି ସାଂସଦ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଯାଚିକା ଦାଖଲ କରାଯାଇ ତାଜମହଲର ୨୨ ବନ୍ଦ କୋଠରୀ ଖୋଲିବାକୁ ଦାବି କରାଯାଇଛି। ଏହାର ଖୋଳତାଡ ପାଇଁ ଏକ କମିଟି ଗଠନ କରାଯାଉ। ଯାଚିକାରେ ଉଲ୍ଲେଖ ରହିଛି, ସେଠାରେ ପୂର୍ବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ଥିଲା, ଯାହାକୁ ଭାଙ୍ଗି ତାଜମହଲ ନିର୍ମାଣ କରାଯାଇଛି।

Get real time updates directly on you device, subscribe now.