ନିର୍ବାଚନରେ ଜିତିବା ପରେ ବିଜେପି ଦେଉଛି ୫୯୯ ଟଙ୍କାର ମାଗଣା ରିଚାର୍ଜ…..: ଏହା କେତେ ସତ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ଆସନ ପାଇବା ସହିତ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଏହା ମଧ୍ୟରେ ହ୍ୱାଟସଆପରେ ଏକ ମେସେଜ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିର୍ବାଚନରେ ଜିତିବା ପରେ ବିଜେପି ସମସ୍ତ ଭାରତୀୟ ୟୁଜର୍ସଙ୍କୁ ୫୯୯ ଟଙ୍କାର ୩ ମାସିଆ ମାଗଣା ରିଚାର୍ଜ ପ୍ରଦାନ କରୁଥିବା ନେଇ ସେଥିରେ କୁହାଯାଇଛି । ଏଥିସହିତ ଏକ ଲିଙ୍କକୁ କ୍ଲିକ୍ କରି ଆପଣମାନେ ନିଜର ମୋବାଇଲ ନମ୍ବରରେ ରିଚାର୍ଜ କରିବେ ବୋଲି କୁହାଯାଉଛି ।

ତେବେ ଏହି ଭାଇରାଲ ମେସେଜଟି କେତେଦୂର ସତ, ତାହା ଜାଣିବା ସମସ୍ତେ ନିହାତି ଆବଶ୍ୟକ । ପ୍ରକୃତ କଥା ହେଉଛି ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ଏଭଳି ଏକ ମେସେଜ୍ ସାମ୍ନାକୁ ଆସିଥିଲା । ତାହାକୁ ପିଆଇବି ପକ୍ଷରୁ ଫେକ୍ ବୋଲି କୁହାଯାଇଥିଲା । ନିକଟରେ ହ୍ୱାଟସଆପରେ ଭାଇରାଲ ହେଉଥିବା ମେସେଜକୁ ମଧ୍ୟ ପିଆଇବି ଫେକ୍ ବୋଲି କହିବା ସହ ସତର୍କ ରହିବାକୁ ଚେତାବନୀ ଦେଇଛି । ଏଭଳି ମେସେଜର ଲିଙ୍କରେ କ୍ଲିକ୍ କଲେ ଆପଣଙ୍କ ଆକାଉଣ୍ଟରୁ ଅର୍ଥ କଟିଯିବାର ସମ୍ଭାବନା ରହିଥାଏ । ତେଣୁ ଏନେଇ ଆପଣମାନେ ନିଜେ ସତର୍କ ରହିବା ସହ ନିଜର ବନ୍ଧୁ ଓ ପରିଜନମାନଙ୍କୁ ସତର୍କ କରାନ୍ତୁ ।

Get real time updates directly on you device, subscribe now.