ଦିଲ୍ଲୀରେ ସ୍କୁଲ ପାଖରେ ବିସ୍ଫୋରଣ ମାମଲା; ଘଟଣାସ୍ଥଳରୁ ମିଳିଥିବା ଧଳା ପାଉଡର ସୃଷ୍ଟି କରୁଛି ସନ୍ଦେହ, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ରବିବାର ସକାଳେ ଦିଲ୍ଲୀ ପ୍ରଶାନ୍ତ ବିହାର ଅଞ୍ଚଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବିଦ୍ୟାଳୟ ବାହାରେ ବିସ୍ଫୋରଣ ଘଟିଥିଲା । ଏହା ପରେ ବିଦ୍ୟାଳୟ ନିକଟସ୍ଥ ଅଞ୍ଚଳ ସହ ଦିଲ୍ଲୀରେ ହାଇ ଆଲର୍ଟର୍ ଜାରି କରାଯାଇଛି ।

ଦିଲ୍ଲୀ ସ୍କୁଲ ବିସ୍ଫୋରଣ ମାମଲାରେ ସିଆରପିଏଫ୍ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟକୁ ଏକ ବିସ୍ତୃତ ରିପୋର୍ଟ ଦିଆଯିବ । ଏହା ପରେ ସୁରକ୍ଷା ଏଜେନ୍ସି ସହ ଜଡ଼ିତ ବିଭିନ୍ନ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯିବ । ସିଆରପିଏଫ୍ ସ୍କୁଲ ଆଖପାଖ ଅଞ୍ଚଳରେ ଥିବା ମୋବାଇଲ ଟାୱାରରେ ଶନିବାର ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ସମସ୍ତ କଲ୍ ଡାଟାର ଯାଞ୍ଚ୍ କରାଯିବ । ଏହା ବ୍ୟତୀତ ସମସ୍ତ ଅଞ୍ଚଳର ଡମ୍ପ ଡାଟା ନିଆଯିବ ଯାହା ଗତ ରାତିରୁ ଆଜି ସକାଳେ ବ୍ଲାଷ୍ଟ ହେବା ପର୍ଯ୍ୟନ୍ତ ଆକ୍ଟିଭ ଫୋନର ଯାଞ୍ଚ କରିବ । ପୋଲିସକୁ ବିସ୍ଫୋରଣ ଘଟିଥିବା ସ୍ଥାନରେ କିଛି ଧଳା ପାଉଡର ମିଳିଥିଲା । ଏହାର ମଧ୍ୟ ଯାଞ୍ଚ୍ ହେବ । ଦିଲ୍ଲୀ ପୋଲିସ ପିଆରଓ ସଞ୍ଜୟ ତ୍ୟାଗୀଙ୍କ କହିବାନୁଯାୟୀ ଏଫଏସଏଲ୍‌, ସ୍ପେଶାଲ ସେଲ, ଏନଆଇଏ, ସିଆରପିଏଫ୍‌, ଏନଏସଜି ଟିମ୍ ଘଟଣାସ୍ଥଳରେ ବିସ୍ଫୋରଣର ଯାଞ୍ଚ୍ କରୁଛନ୍ତି । କିଛି ଦୋକାନର କାଚ ଭାଙ୍ଗିଥିବା ବେଳେ କେହି ଆହତ ହୋଇନାହାଁନ୍ତି । ସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।