fbpx

କେବେ ଯାଏ ଏମିତି ଖୋଲା ବୋରୱେଲ ନେଇଚାଲିଥିବ ନିରୀହ ଜୀବନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସମସ୍ତେ ବେଫିକର

Advertisement

ନୂଆଦିଲ୍ଲୀ:ଜମିରେ ଖୋଲାପଡିଥିବା ବୋରୱେଲରେ ଖସିପଡି ପ୍ରତିବର୍ଷ ପ୍ରାୟ ୫୦ରୁ ୬୦ ଲୋକଙ୍କ ମୃତ୍ୟୁ ହୋଇ ଯାଉଛି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସୁପ୍ରିମକୋର୍ଟ ୨୦୧୦ରେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହା ସତ୍ତେ୍ୱ ବୋରୱେଲ୍ରେ ଖସି ପଡି ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁ ନାହିଁ । ଏନସିଆରବିର ରିପୋର୍ଟ ଅନୁଯାୟୀ ୪ ବର୍ଷ ଭିତରେ ଦେଶରେ ଏହି ଘଟଣାରେ ୨୮୧ଟି ନୀରିହ ଜୀବନ ଗଲାଣି ।
ମଧ୍ୟପ୍ରଦେଶ ସିହୋରରେ ୩ ବର୍ଷୀୟ ଏକ କୁନି ଝିଅ ସୃଷ୍ଟି ଗତକାଲି ବୋରୱେଲରେ ପଡି ପ୍ରାଣ ହରାଇଛି । ସୃଷ୍ଟି ମଙ୍ଗଳବାର ଖେଳୁଥିବା ସମୟରେ ୩୦୦ ଫୁଟ ଗଭୀର ବୋରୱେଲରେ ଖସି ପଡିଥିଲା । ଏହି ବୋରୱେଲ୍ ଜମିରେ ଖୋଲାପଡିଥିଲା । ୫୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୃଷ୍ଟିକୁ ଉଦ୍ଧାର କରାଯାଇଥିଲା ସତ କିନ୍ତୁ ସେ ଜୀବିତ ରହି ନ ଥିଲା । ସୃଷ୍ଟିର ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ୍, ଏସଡିଆରଏଫ୍, ରୋବଟିକ୍ ଟିମ୍ ସାମିଲ ଥିଲେ । କିନ୍ତୁ କେହି ତାକୁ ବଞ୍ଚାଇ ପାରିଲେ ନାହିଁ ।

ଏହା ପୂର୍ବରୁ ଜୁନ୍ ୨ ରେ ଗୁଜୁରାଟର ଜାମ ନଗରରେ ବୋରୱେଲ୍ରେ ଏକ ୨ ବର୍ଷର ଶିଶୁ ପଡି ଯାଇଥିଲା । ୧୯ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବି ଶିଶୁଟି ବଞ୍ôଚ ନ ଥିଲା । ଏହିପରି ଗତ ବର୍ଷ ଡିସେମ୍ବରରେ ମଧ୍ୟପ୍ରଦେଶର ବେତୁଲ ଅଞ୍ଚଳରେ ୮ ବର୍ଷର ତନ୍ମୟ ବୋରୱେଲରେ ଖସି ମୃତ୍ୟୁବରଣ କରିଥିଲା । ୮୪ ଘଣ୍ଟ।।ର ରେସ୍କ୍ୟୁ ଅପରେସନ ପରେ ତନ୍ମୟକୁ ବାହାରକୁ ଅଣାଯାଇଥିଲା ସତ କିନ୍ତୁ ମୃତ ଅବସ୍ଥାରେ ।
ତେବେ ଏହା କେବଳ ସୃଷ୍ଟି କି ତନ୍ମୟର କାହାଣୀ ନୁହେଁ ପ୍ରତିବର୍ଷ ଦେଶରେ ବୋରୱେଲରେ ପଡି କାହାର ନା କାହାର ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏହି ନିରୀହ ଶିଶୁମାନଙ୍କର ଅକାଳ ମୃତ୍ୟୁ ପ୍ରଶାସନ ଠାରୁ ଆରମ୍ଭ କରି ପରିଜନଙ୍କ ପର୍ଯ୍ୟନ୍ତ ବହୁ ପ୍ରଶ୍ନ ସୃଷ୍ଟି କରୁଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ବାରମ୍ବାର ଏପରି ଦୁର୍ଘଟଣା ଘଟିବା ପରେ ବି ଦେଶରେ କେଉଁ ପର୍ଯ୍ୟନ୍ତ ଏହିପରି ବୋରୱେଲକୁ ଖୋଳି ଖାଲି ଛାଡି ଦିଆଯିବ । କେଉଁ ପର୍ଯ୍ୟନ୍ତ ନିରୀହ ଶିଶୁଙ୍କ ଜୀବନକୁ ନେଇ ଏପରି ଦାୟିତ୍ୱହୀନତା ଜାରି ରହିଥିବ ।

ଜମିରେ ଖାଲି ପଡିଥିବା ବୋରୱେଲକୁ ନେଇ ସୁପ୍ରିମକୋର୍ଟ ୨୦୧୦ରେ ନିର୍ଦ୍ଦେଶ ଜାରି କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ଥିଲା, ବୋରୱେଲ ଖୋଳିବାର ୧୫ ଦିନ ପୂର୍ବରୁ ଜମି ମାଲିକ ସରପଞ୍ଚ କିମ୍ବା ଡିସିଙ୍କୁ ଏ ବିଷୟରେ ସୂଚନା ଦେବ । ଅଫିସରଙ୍କ ତତ୍ତ୍ୱାବଧାନରେ ବୋରୱେଲ ଖୋଳାଯିବ । ଏହି ସମୟରେ ସୂଚନା ବୋର୍ଡ ଲଗାଇବାକୁ ହେବ । ବୋରୱେଲ ଚାରିପଟେ କଣ୍ଟା ତାର ବାଡ କିମ୍ବା କଂକ୍ରିଟ୍ ପାଚେରୀ କରିବାକୁ ପଡିବ । ବୋରୱେଲ କିମ୍ବା କୂଅକୁ ମଜଭୁତ ଷ୍ଟିଲ ଘୋଡଣୀରେ ଢାଙ୍କିବାକୁ ହେବ । ବୋରୱେଲ ଖୋଳା ଶେଷ ପରେ ଆଖପାଖ ସମସ୍ତ ଗର୍ତ୍ତକୁ ଭଲ ଭାବେ ବନ୍ଦ କରିବାକୁ ହେବ । ଏହା ସତ୍ତେ୍ୱ ବୋରୱେଲରେ ପଡି ମୃତ୍ୟୁ ସଂଖ୍ୟା କମିବାରେ ନାଁ ଧରୁନାହିଁ । ଯେଉଁଠି ବି ବୋରୱେଲରେ ଶିଶୁ ପଡିଯାଏ ସେତେବେଳେ ସେନା ଠାରୁ ଆରମ୍ଭ କରି ଏନଡଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଶିଶୁକୁ ଉଦ୍ଧାର କରିବାକୁ ଲାଗି ପଡନ୍ତି । ଅଧିକାଂଶ କେସ୍ ରେ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ବହୁ କମ୍ କେସ୍ରେ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଥାନ୍ତି ।

ଯେଉଁ ରାଜ୍ୟରେ ଏହି ଘଟଣା ଘଟିଥାଏ ସେଠି ତୁରନ୍ତ ପ୍ରଶାସନ ସଜାଗ ହୋଇଯାଏ ଓ ବୋରୱେଲ ଖାଲି ଛାଡିଥିବା ବ୍ୟକ୍ତି ଉପରେ ଅଭିଯାନ ଚଲାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍ପର ହୋଇଉଠେ । କିନ୍ତୁ ଏହି ଜିନିଷ କେବଳ ମିଡିଆ ସାମ୍ନାରେ ପରିପ୍ରକାଶ ପାଏ କିନ୍ତୁ ବାସ୍ତବ କ୍ଷେତ୍ରରେ ନୁହେଁ । ଘଟଣାର ମାସେ କି ଦୁଇ ମାସ ପରେ ପୁଣି ଆଉ କେଉଁ ରାଜ୍ୟରେ ବୋରୱେଲରେ ପଡି ଶିଶୁର ମୃତ୍ୟୁ ଘଟଣା ସାମ୍ନାକୁ ଆସେ । ଏଣୁ ଏ କ୍ଷେତ୍ରରେ ଆଇନକୁ କଡାକଡି କରାଯିବ ସହ ବୋରୱେଲ ଖୋଳି ଖାଲି ଛାଡି ଯାଉଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଯାଏ ପରିସ୍ଥିତିରେ ଆଦୌ ସୁଧାର ଆସିବନି ।

Get real time updates directly on you device, subscribe now.