ଓଡ଼ିଶା ଭାସ୍କର: ଆଜି ସାରା ଦେଶ ପାଳନ କରୁଛି ୭୫ମତମ ଗଣତନ୍ତ୍ର ଦିବସ । ପ୍ରତି ଦେଶବାସୀଙ୍କ ମନରେ ଭରି ରହିଛି ଉତ୍ସାହ ଓ ଉଦ୍ଦୀପନା । ପ୍ରତି ଭାରତୀୟଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦିନ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହେବା ସହ ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଏହି ଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ପାଳନ କରାଯାଏ ।
ଇଂରେଜ ସରକାରଙ୍କ ବିରୋଧରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଲଢ଼ିଥିଲେ । ଏଥିମଧ୍ୟରୁ ଓଡ଼ିଶାରେ ‘ପାଇକ ବିଦ୍ରୋହ’ ଅନ୍ୟତମ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ । ସେ ବକ୍ସି ଜଗବନ୍ଧୁ ବା ପାଇକ ବକ୍ସି ନାମରେ ଜଣାଶୁଣା । ୧୭୭୩ ମସିହା ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ରୋଡ଼ଙ୍ଗ ଗ୍ରାମରେ ବକ୍ସି ଜଗବନ୍ଧୁ ଜନ୍ମ ଗ୍ରହଣ କରିଥିଲେ । ରାଜକୂଳ ସହ ଜଡ଼ିତ ଥିବାରୁ ପିଲାଦିନୁ ସେ ଅଶ୍ୱଚାଳନାର ବିଭିନ୍ନ ରଣକୌଶଳ ଶିଖିଥିଲେ । ସେ ତାଙ୍କ ପୂର୍ବପୁରୁଷଙ୍କ ଠାରୁ ବଂଶାନୁକ୍ରମେ ‘ବକ୍ସି’ ଉପାଧି ଲାଭ କରି ଖୋର୍ଦ୍ଧା ରାଜାଙ୍କ ସେନାପତି ଦାୟିତ୍ୱ ବହନ କରିଥିଲେ । ରାଜାଙ୍କ ପରେ ସେ ଦ୍ୱିତୀୟ ମନ୍ୟଗଣ୍ୟ ବ୍ୟକ୍ତି ଭାବେ ପରିଚିତ ଥିଲେ ।
ସେହି ସମୟରେ ପାଇକମାନେ ନିଷ୍କର ଜମି ଭୋଗ କରୁଥିଲେ। ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ମିଶାଇ ଦେଲେ। ପାଇକଙ୍କ ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା। ଫଳରେ ପାଇକମାନେ ତାଙ୍କ ବଂଶାନୁକ୍ରମିକ ନିଷ୍କର ବୃତ୍ତିରୁ ବଞ୍ଚିତ ହେଲେ। ଅନେକ ଘରଦ୍ବାର ଛାଡ଼ି ନିକଟବର୍ତ୍ତୀ କରଦ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ। ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଲା । ୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଏକ ହତ୍ୟା ମାମଲାରେ ଗିରଫ କଲେ। ଏହି ଘଟଣାର ପ୍ରତିବାଦରେ ଖୋର୍ଦ୍ଧାର ପାଇକମାନେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଇଂରେଜମାନଙ୍କ ଅନ୍ୟାୟ ନୀତି ଓ ନିର୍ଯାତନା ବିରୋଧରେ ବିଦ୍ରୋହ କଲେ। ଏହାପରେ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଏହି ବିଦ୍ରୋହର କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ। ଯାହାର ମୁଖ୍ୟ କାରଣ ହେଉଛି, ନୂଆ ରାଜସ୍ବ ନୀତି ଏବଂ ଲବଣ ଦର ବୃଦ୍ଧି।
୧୮୫୭ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଵ୍ରିଟିଶ ଶାସନ ଵିରୋଧରେ ଆରମ୍ଭ ହୋଇଥିଵା ଖୋର୍ଦ୍ଧାର ଏହି ପାଇକ ଵିଦ୍ରୋହର ନାୟକ ଵକ୍ସି ଜଗଵନ୍ଧୁ ମାତ୍ର ୪ ଶହ କନ୍ଧ ସୈନିକଙ୍କ ସହାୟତାରେ ଵାଣପୁର ଓ ଘୁମୁସରରୁ ଵ୍ରିଟିଶ ସୈନ୍ୟଙ୍କୁ ତଡି ଦେଇଥିଲେ । କଟକର ଵକ୍ସି ଵଜାର ଛକ ନିକଟରେ ଥିବା ଅସ୍ଥାୟୀ ଜେଲରେ ୧୮୨୫ ମସିହାରେ ବ୍ରିଟିଶ ସେନା ଵକ୍ସି ଜଗଵନ୍ଧୁଙ୍କୁ ଗୃହ ଵନ୍ଦୀ କରି ରଖିଥିଲେ । ତେଣୁ ଏହି ଛକର ନାଁ ବକ୍ସି ଵଜାର ରହିଛି । ପରେ ପାଇକମାନେ ମିଳିତ ଭାବେ ଇଂରେଜମାନଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ସୈନ୍ୟ ଛାଉଣୀ ଉପରେ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ୧୮୨୫ ମେ ୨୭ରେ ବକ୍ସ ଜଗବନ୍ଧୁ କଟକରେ ଆତ୍ମସମର୍ପଣ କରିଥିଲେ । ୧୮୨୯ ଜାନୁଆରୀ ୨୪ରେ ପାଇକ ବିଦ୍ରୋହର ମହାନାୟକ ବକ୍ସ ଜଗବନ୍ଧୁ ଇହଲୀଳା ତ୍ୟାଗ କରିଥିଲେ ।