ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା, ୧ କୋଟି ଟିକା ଅର୍ଡର ଦେଲେ ସରକାର

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ କେନ୍ଦ୍ର ସରକାର ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ସରକାର ଅହମଦାବାଦର କମ୍ପାନୀ ଜାଇଡସ୍ କାଡିଲାର ତିନି ଡୋଜ୍ ବିଶିଷ୍ଟ ଟିକା ‘ଜାଇକୋଭ୍-ଡି’ ର ଏକ କୋଟି ଡୋଜ୍ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏୟହା ସହ ଚଳିତ ମାସରୁ ଏହି ଭାକ୍ସିନ ରାଷ୍ଟ୍ରୀୟ କରୋନା ଭାଇରସ ବିରୋଧରେ କରୋନା ଟିକାକରଣରେ ସାମିଲ ହେବ । ପ୍ରାରମ୍ଭରୁ ଏହାକୁ ବୟସ୍କକୁ ଲଗାଯିବାକୁ ପ୍ରାଥମିକତା ଦିଆଯିବ । ଜାଇକୋଭ-ଡି ଭାରତର ଔଷଧ ନିୟାମକ ଦ୍ୱାରା ୧୨ ବର୍ଷ ଏବଂ ଏହାଠାରୁ ଅଧିକ ବୟସ ଲୋକଙ୍କ ଦେବାପାଇଁ ସ୍ୱୀକୃତି ପ୍ରାପ୍ତ ପ୍ରଥମ ଭାକ୍ସିନ୍ ଅଟେ ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ‘ଜାଇକୋଭ-ଡି’ର ୧ କୋଟି ଡୋଜ୍ ପାଇଁ ଜାଇଡସ୍ କାଡିଲାକୁ ଅର୍ଡର ଦେଇଛନ୍ତି । ଏହାର ଗୋଟିଏ ଡୋଜର ମୂଲ୍ୟ ୩୫୮ ଟଙ୍କା ରହିଛି । ଏଥିରେ ଏକ ଡିସ୍ପୋଜେବଲ ଜେଟ୍ ଆପ୍ଲିକେଟର ମଧ୍ୟ ସାମିଲ ରହିଛି । ଯାହା ସାହଯ୍ୟରେ ଟିକା ଦିଆଯିବ । ତେବେ ସୀମିତି ଉତ୍ପାଦନ ଯୋଗୁଁ ପ୍ରଥମେ ଏହି ଟିକାକୁ ବୟସ୍କଙ୍କୁ ଦିଆଯିବ ।

ଜାଇଡସ କାଡିଲାର ଅଧିକାରୀ କହିଛନ୍ତି କମ୍ପାନୀ ପ୍ରତିମାସରେ ‘ଜାଇକୋଭ-ଡି’ ର ଏକ କୋଟି ଡୋଜ ଉପଲବ୍ଧ କରାଯାଇପାରିବ । ଏହି ଟିକା ଦେବା ପାଇଁ ସମ୍ମୁଖ କାର୍ଯ୍ୟକର୍ତ୍ତା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଜେଟ୍ ଆପ୍ଲିକେଟରର ବ୍ୟବହାର କରିବାକୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ନେଇ କହିଛନ୍ତି, କାରଣ ଏହି ଟିକାରେ କୌଣସି ଛୁଞ୍ଚିର ବ୍ୟବହାର ହେବ ନାହିଁ । ଟିକାର ତିନି ଡୋଜକୁ ୨୮ ଦିନ ବ୍ୟବଧାନରେ ଦିଆଯିବ ।