ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଲାଗୁ ହୋଇପାରେ ନୂଆ ୱେଜ୍ କୋଡ୍ । ଏନେଇ ସମସ୍ତ କ୍ଷେତ୍ରର ଏଚଆର ମୁଖ୍ୟଙ୍କ ସହ ଆଲୋଚନା ହୋଇଛି । ଯଦି ନୂଆ ଶ୍ରମ ନିୟମ ଲାଗୁ ହୁଏ, ତେବେ ସରକାରୀ କର୍ମଚାରୀଙ୍କର ସାଲାରୀ ଷ୍ଟ୍ରକଚରରେ କିଛି ପରିବର୍ତ୍ତନ ହୋଇପାରେ । ନୂଆ ଲେବର କୋର୍ଡ ଗତ ୨୦୧୯ ମସିହାରେ ସଂସଦରେ ପାରିତ ହୋଇଥିଲା ।
ତେବେ ନୂଆ ନିୟମ ଲାଗୁହେଲେ ଏଣିକି ୨୪୦ ବଦଳରେ ୩୦୦ ଦିନ (ଇଏଲ) ଛୁଟି ମିଳିବ । ଏଥିସହ କର୍ମଚାରୀଙ୍କର ବେତନ ମଧ୍ୟ ବଦଳିଯିବ । ଏହାଦ୍ୱାରା ବେସିକ ସାଲାରୀରେ ହ୍ରାସ ଦେଖାଦେଇପାରେ । ସାଧାରଣ ଭାବେ ଜଣେ କର୍ମଚାରୀଙ୍କୁ କଷ୍ଟ-ଟୁ-କମ୍ପାନୀ (ସିଟିସି)ରେ ୩ରୁ ୪ ପ୍ରତିଶତ ମିଳିଥାଏ । ବେସିକ ସାଲାରୀ, ହାଉସ ରେଣ୍ଟ ଆଲାଉନ୍ସ, ପିଏଫ, ଗ୍ରାଚ୍ୟୁଇଟି, ପେନସନ, ଏଣ୍ଟରଟେନମେଣ୍ଟ ଆଲାଉନ୍ସ ଆଦି ଏଥିରେ ରହିଥାଏ ।
ଏବେ ନୂଆ କୋଡ୍ ଅନୁଯାୟୀ, ଭତ୍ତା ମୋଟ ସାଲାରୀର ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଅର୍ଥାତ ଯଦି ଜଣେ କର୍ମଚାରୀ ମାସକୁ ୫୦ ହଜାର ପାଉଛନ୍ତି, ସେ କ୍ଷେତ୍ରର ତାଙ୍କର ବେସିକ ସାଲାରି ୨୫ ହଜାର ଟଙ୍କା ହେବା ଦରକାର, ଅବଶିଷ୍ଟ ୨୫ ହଜାର ଟଙ୍କାରେ ତାଙ୍କର ଭତ୍ତା ସାମିଲ ରହିବ । ନୂଆ ନିୟମ ଅନୁଯାୟୀ, କର୍ମଚାରୀଙ୍କର କାମ କରିବାର ସମୟ ୧୨ ଘଣ୍ଟା ହୋଇଯିବ । ସପ୍ତାହକୁ ୪୮ ଘଣ୍ଟା କାମ କରିବା ନେଇ ପ୍ରସ୍ତାବରେ କୁହାଯାଇଛି । କିଛି ୟୁନିୟନ ୧୨ ଘଣ୍ଟା କାମ ଓ ୩ ଦିନର ଛୁଟି ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସପ୍ତାହକୁ ୪୮ ଘଣ୍ଟା କାର୍ଯ୍ୟ କରିବା ନେଇ ନିୟମ ରହିବ । ମାତ୍ର ଯଦି ଜଣେ ୮ ଦିନ କାର୍ଯ୍ୟ କରିବାକୁ ଚାହିଁବ ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବା ସହ ଗୋଟିଏ ଦିନର ଛୁଟି ମିଳିବ ।