CHARIDHAM

୨୦୦ ବେଡର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଆଂଶିକ ଲକଡାଉନ୍ ଜାରି ହୋଇଛି । ଏହାରି ମଧ୍ୟରେ ଭବାନୀପାଟଣାରେ ୨୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ ହୋଇଛି । କୋଭିଡ ହସ୍ପିଟାଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ବେଦାନ୍ତ ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଛି ଏହି କୋଭିଡ ହସ୍ପିଟାଲ । ଏହି ହସ୍ପିଟାଲରେ ଭେଣ୍ଟିଲେଟର ସହିତ ଅମ୍ଲଜାନ ବ୍ୟବସ୍ଥା ରହିଛି । ପିଲାଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା ରହିଛି । ମନୋରଞ୍ଜନ ସହ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ହସ୍ପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା’ ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି ।’

କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ। କୋଭିଡର ଦ୍ବିତୀୟ ଲହରରେ ରୋଗୀମାନଙ୍କୁ ଅକ୍ସିଜେନ ସ୍ତର କମିବା ଯୋଗୁ ସାରା ଦେଶରେ ଅକ୍ସିଜେନ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା । ଏଭଳି ସମୟରେ ଓଡିଶା ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।