କାଶ୍ମୀରରେ ପୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ୍, ବାରମୁଳାରେ ସରପଞ୍ଚଙ୍କୁ ହତ୍ୟା

କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ସାଧାରଣ ଲୋକଙ୍କୁ ଡରାଇବା ଆରମ୍ଭ କଲେଣି । ବାରମୁଳା ଜିଲ୍ଲାର ଗୋଷବୁଗ ପାଟ୍ଟନ ଅଞ୍ଚଳରେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି । ସରପଞ୍ଚଙ୍କୁ ଆତଙ୍କୀମାନେ ଗୁଳିମାଡ଼ କରିବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଶତ ପ୍ରଚେଷ୍ଠା ସତ୍ୱେ ତାଙ୍କୁ ବଞ୍ଚାଇ ପାରି ନଥିଲେ ।

ଦୁଇଦିନ ପୁର୍ବରୁ ଆତଙ୍କବାଦୀମାନେ ଜଣେ ନାଗରିକଙ୍କୁ ତାଙ୍କ ଦୋକାନ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ୟକ୍ତି ଜଣକ ଏକ ଔଷଧ ଦୋକାନ କରିଥିଲେ, ତାଙ୍କ ନାମ ସତିଶ ସିଂ ବୋଲି ଜଣା ପଡିଛି। ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଏବେ ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଅଣ-କାଶ୍ମୀରମାନେ ଅଞ୍ଚଳ ଛାଡ଼ି ପଳାଇବାକୁ କିଛି ସ୍ଥାନରେ ପୋଷ୍ଟର ଲଗାଇବା ପରେ ଏହି ହତ୍ୟା ଘଟିଥିଲା ।

ତେବେ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଏବଂ କାଶ୍ମୀର ଗସ୍ତରେ ରହିବେ । ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କଶ୍ମୀର ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ପଞ୍ଚାୟତରାଜ ଦିବସରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି ।