ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଘର ବାହାରେ ଫୋପାଡ଼ି ଚାଲିଗଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଚଳିତ ସପ୍ତାହରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲରୁ ଅପହରଣ କରିନେଇ ଯାଇଥିଲେ ଦୁର୍ବୃତ୍ତ । ତାଙ୍କୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ଛାତ୍ରୀଙ୍କ ଘର ବାହାରେ ଆଣି ଫୋପାଡ଼ି ଦେଇଛନ୍ତି । ଏହିଭଳି ଏକ ଅମାନୁଷିକ ଘଟଣା ରାଜସ୍ଥାନର ଦୁନଗାନ୍ପୁର ଜିଲ୍ଲାରୁ ସାମନାକୁ ଆସିଛି ।

ସୂଚନା ଯେ, ଏହି ଘଟଣା ଜାନୁଆରୀ ୨୪ ତାରିଖରେ ଘଟିଥିଲା । ଏହିଦିନ ପୀଡ଼ିତା ଜଣକ ନିଜ ଭାଈ ସହିତ ସ୍କୁଲକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ଯେତେବେଳେ ପୀଡ଼ିତା ଜଣକ ବାହାରକୁ ଆସିଥିଲେ ସେତିକି ବେଳେ ସମାନ ସ୍କୁଲରେ ପଢ଼ୁଥିବା ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ବାଇକ୍ ରେ ଛାତ୍ରୀଙ୍କୁ ଜୋରଜବରଦସ୍ତି ବସାଇ ନେଇଯାଇଥିଲା ।

ଅଭିଯୁକ୍ତ ଛାତ୍ର ଜଣକ ପୀଡ଼ିତାଙ୍କୁ ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ଘଣ୍ଟା ଘଣ୍ଟା ଧରି ଦୁଷ୍କର୍ମ କରିଥିଲା । ସନ୍ଧ୍ୟା ସମୟରେ ଶୋଚନୀୟ ଅବସ୍ଥାରେ ପୀଡ଼ିତାଙ୍କୁ ଆଣି ତାଙ୍କ ଘର ଆଗରେ ଫୋପାଡ଼ି ଦେଇ ଚାଲିଯାଇଥିଲା । ଏହାପରେ ପରିବାର ଲୋକ ପୀଡ଼ିତାଙ୍କୁ ଏହି ଅବସ୍ଥାରେ ଦେଖିବା ପରେ ତୂରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ତେବେ ଡାକ୍ତରଖାନାକୁ ନେବା ସମୟରେ ତାଙ୍କ ଶରୀରରୁ ଅନେକ ରକ୍ତ ଚାଲିଯାଇଥିଲା । ଘଟଣା ସମ୍ପର୍କରେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ବାପା ।

ପୋଲିସ୍ ଅଭିଯୋଗ ଶୁଣି ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଥିଲା । ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ।