fbpx

ବନ୍ଦେ ଭାରତ ନିର୍ମାଣ ଓ ରକ୍ଷଣାବେକ୍ଷଣକୁ ନେଇ ଭାରତ ଓ ରୁଷ କମ୍ପାନୀ ମୁହାଁମୁହିଁ , ଶୀର୍ଷ ସ୍ତରୀୟ ଆଲୋଚନାରେ ବାହାରିବ ସମାଧାନର ବାଟ

Advertisement

ନୂଆଦିଲ୍ଲୀ:ରୁଷ- ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ସାରା ବିଶ୍ୱ ଏବେ ଦୁଇ ଭାଗ ହୋଇଯାଇଛି । ଆମେରିକା ପରି ପାଶ୍ଚାତ୍ୟ ରାଷ୍ଟ୍ର ରୁଷକୁ ଏକ ଘରକିଆ କରିବାକୁ ଚାହୁଁଥିବା ବେଳେ ଭାରତ କିନ୍ତୁ ଏ ମାମଲାରେ ନୀରବତା ରକ୍ଷା କରି ଆସୁଛି । ଅନ୍ୟପକ୍ଷରେ ଭାରତ ଓ ରୁଷ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ଥିବାରୁ ଓ ଭାରତ ଏ କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନେଉଛି । କିନ୍ତୁ ଏବେ ଖବର ମିଳିଛି ଯେ, ଭାରତ ଓ ରୁଷ ମଧ୍ୟରେ ବିବାଦ ସ୍ଥିତି ଉପୁଜିଛି । ବନ୍ଦେ ଭାରତ ସହ ଜଡିତ ମିଳିତ ଉଦ୍ୟମର ଏକ ଚୁକ୍ତିରେ ଭାଗିଦାରୀକୁ ନେଇ ଭାରତ ଓ ରୁଷ କମ୍ପାନୀ ମୁହାଁମୁହିଁ ହୋଇଛନ୍ତି । ରୁଷୀୟ କମ୍ପାନୀ ଏହାକୁ ନେଇ ସରକାରଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି ।

ଭାରତ ଓ ରୁଷ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ର ନିର୍ମାଣକୁ ନେଇ ଜଡିତ ଏକ ମିଳିତ ଉଦ୍ୟମରେ ଭାଗିଦାରୀକୁ ନେଇ ବିବାଦ ବୃଦ୍ଧି ପାଇଛି । ଭାରତୀୟ କମ୍ପାନୀ ଚାହୁଁଛି ଏହାର ଭାଗିଦାରୀ ଅଧବକ ରହୁ । କିନ୍ତୁ ରୁଷ କମ୍ପାନୀ ଏହାକୁ ବିରୋଧ କରୁଛି ଯାହାକୁ ନେଇ ଦୁଇ କମ୍ପାନୀ ମଧ୍ୟରେ ଝଗଡାର ସୂତ୍ରପାତ ହୋଇଛି । ଭାରତ ଓ ରୁଷର ଏହି ମିଳିତ ଉଦ୍ୟମରେ ରହିଛି ୧୨୦ ନୂଆ ବନ୍ଦେ ଭାରତ ଟ୍ରେନ୍ର ନିର୍ମାଣ ଏବଂ ଆଗାମୀ ୩୫ ବର୍ଷ ସୁଦ୍ଧା ସେସବୁର ରକ୍ଷଣାବେକ୍ଷଣ ଲାଗି ୩୦,୦୦୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ହାସଲ ।
ରୁଷୀୟ କମ୍ପାନୀ ମେଟ୍ରୋୱାଗନମାସ୍ ଦେଶର ସବୁଠାରୁ ବୃହତ୍ତ ଟ୍ରାନ୍ସପୋର୍ଟ ଇଂଜିନିୟରିଂ କମ୍ପାନୀ ଟ୍ରାନ୍ସମାସହୋଲ୍ଡିଂର ଏକ ଅଂଶ । ରୁଷର ଏହି କମ୍ପାନୀ ରେଲୱେ ଲାଗି ରୋଲିଂ ଷ୍ଟକର ବିକାଶ, ଡିଜାଇନ୍ ଓ ନିର୍ମାଣରେ ବିଶେଷଜ୍ଞତା ହାସଲ କରିଛି । ଏହି କମ୍ପାନୀ ଭାରତର ସରକାରୀ କମ୍ପାନୀ, ରେଳ ବିକାଶ ନିଗମ ଲିମିଟେଡ୍ ସହ ମିଶି ୧୨୦ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କଣ୍ଟ୍ରାକ୍ଟ ହାସଲ କରିଛି ।

ଏହି କଣ୍ଟ୍ରାକ୍ଟ ରେ ମେଟ୍ରୋୱାଗନମାସ୍ ର ୮୦ ପ୍ରତିଶତ ଓ ରେଳ ବିକାଶ ନିଗମ ଲିମିଟେଡ୍ ର ୨୬ ପ୍ରତିଶତ ଭାଗିଦାରୀ ରହିଛି । ଏବେ ଭାରତର କମ୍ପାନୀ ଚାହୁଁଛି ତାକୁ ଏହି ମିଳିତ ଉଦ୍ୟମରେ ୬୯ ପ୍ରତିଶତ ଭାଗିଦାରୀ ମିଳୁ । ଏହା ସହିତ ଭାରତୀୟ କମ୍ପାନୀ ଚାହୁଁଛି ମେଟ୍ରୋୱାଗନମାସ୍ ର ଭାଗିଦାରୀ କମାଇ ୨୬ ପ୍ରତିଶତ କରି ଦିଆଯାଉ ଏବଂ ତୃତୀୟ ଭାଗିଦାର ଭାବରେ ଳୋକୋମୋଟିଭ୍ ଇଲେକ୍ଟୋନିକ୍ସକୁ ୫ ପ୍ରତିଶତ ଭାଗିଦାରୀ ଦିଆଯାଉ ।
ରେଳ ବିକାଶ ନିଗମ ଲିମିଟେଡ୍ କହିଛି ଏହା ଭାରତର ସରକାରୀ କମ୍ପାନୀ ହୋଇଥିବାରୁ ଏହାକୁ ସରକାରଙ୍କ ଠାରୁ କ୍ଲିୟରାନ୍ସ ହାସଲ କରିବା ସହଜ ହେବ । ଏହା ସହିତ ସ୍ଥାନୀୟ ଶ୍ରମିକଙ୍କୁ ମଧ୍ୟ ରେଳ ନିର୍ମାଣ ପ୍ରୋଜେକ୍ଟରେ ସାମିଲ କରିପାରିବ ।

କିନ୍ତୁ ରୁଷୀୟ କମ୍ପାନୀ ଭାରତୀୟ କମ୍ପାନୀର ଏହି ପ୍ରସ୍ତାବକୁ ବିରୋଧ କରିଛି ଓ ଏହି ମାମଲାକୁ ରୁଷ ସରକାରଙ୍କ ନିକଟରେ ଉପସ୍ଥାପନ କରିଛି । ଫଳରେ ରୁଷର ବାଣିଜ୍ୟିକ ପ୍ରତିନିଧି ଏହି ମାମଲାରେ ଭାରତକୁ ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ଉଲ୍ଲେଖ ରହିଛି ଭାରତର ରେଳ ବିକାଶ ନିଗମ ଲିମିଟେଡ୍ ମୂଳ ଚୁକ୍ତି ଅନୁଯାୟୀ କାମ କରିବା ଭଲ ଏବଂ ସରକାର ମଧ୍ୟ ଏ ଦିଗରେ ତାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଏହାକୁ ନେଇ ଏବେ ଦୁଇ କମ୍ପାନୀ ମଧ୍ୟରେ ବିବାଦ ଉପୁଜିଛି ଓ ଏବେ ଭାରତ ଓ ରୁଷ ଶୀର୍ଷ ସ୍ତରରେ ଏହି ମାମଲାର ସମାଧାନର ବାଟ ବାହାର କରିବେ ବୋଲି କୁହାଯାଉଛି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ ଭାରତରେ ୧୦ ଗୋଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଏହି ଟ୍ରେନ୍ ଭାରତରେ ସବୁଠାରୁ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ ।

Get real time updates directly on you device, subscribe now.