fbpx

କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ଏସିଏଫ୍ ମୃତ୍ୟୁ ମାମଲା, ଖୁବଶୀଘ୍ର ମିଳିବ ନ୍ୟାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେ ପୂରି ଯାଇଛି । ତେବେ ଏତେଦିନ ବିତିଯାଇଥିଲେ ହେଁ ତଦନ୍ତ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି ବି ସେଇଠି ରହିଛି । ଏନେଇ ବିଭିନ୍ନ ସମୟରେ ସୌମ୍ୟଙ୍କ ପରିବାରବର୍ଗ ଡିଜିପି, ମୁଖ୍ୟମନ୍ତ୍ରୀ ଆଦିଙ୍କୁ ଭେଟି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ।

ତେବେ ଆଜି ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ଼ ନେଇଛି । ଏହି ମାମଲାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅଭିଯୁକ୍ତ ଥିବା ଡିଏଫଏଓ, ରୋଷେୟାଙ୍କୁ ପୋଲିସ କ୍ଲିନଚିଟ୍ ଦେଇଥିଲା । ସୌମ୍ୟ ଯେଉଁ ଘରେ ପୋଡ଼ିଯାଇଥିଲେ ଉକ୍ତ ଘରର ସ୍ଥିତି ଦେଖିବା ପରେ ସୌମ୍ୟଙ୍କ ପରିବାର ବର୍ଗ ଏହାକୁ ଏକ ହତ୍ୟାକାଣ୍ଡ ବୋଲ କହିଥିଲେ । ପୋଲିସ ବାରମ୍ବାର ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରକୁ ଯାଇ ପଚରାଉଚରା କରୁଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିଲା । ଏହି ଘଟଣାରେ ପୋଲିସ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏପରିକି ରାଜ୍ୟ ପରିବେଶ ମନ୍ତ୍ରୀଙ୍କର ଭୂମିକା ଏହି ଘଟଣା ପଛରେ ରହିଛି ବୋଲି ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ତେବେ କ୍ରାଇବ୍ରାଞ୍ଚ ତଦନ୍ତ ପରେ ସୌମ୍ୟଙ୍କ ପରିବାର ନ୍ୟାୟ ପାଇବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.