ଆକ୍ରମଣ ପରେ ବଢ଼ିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ CRPF ଯବାନ

ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା । ତାଙ୍କୁ Z କାଟୋଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର ।

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ Z କାଟୋଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର । ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢାଇଲା ଗୃହ ମନ୍ତ୍ରଣାଳୟ । ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ବରେ ରହିବେ CRPF ଯବାନ । କାଲି ଜନଶୁଣାଣି ବେଳେ ଦୀଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିଲା ଆକ୍ରମଣ ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିବା ରାଜେଶ ଖିମ୍‌ଜିଭାଇଙ୍କୁ ଆଜି ଅର୍ଥାତ୍ ଗୁରୁବାର ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଜେଡ୍-ବର୍ଗର ସୁରକ୍ଷା ମିଳୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଏବେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା (ଏଏସଏଲ) ମିଳିବାର ସମ୍ଭାବନା ଅଛି। ଏବେ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କୁ ପୂର୍ବ ଅପେକ୍ଷା ଅଧିକ କମାଣ୍ଡୋ ସୁରକ୍ଷା ଦେବେ। ମୁଖ୍ୟମନ୍ତ୍ରୀଙ୍କୁ କ୍ଷେତ୍ର-ନିର୍ଦ୍ଦିଷ୍ଟ ସୁରକ୍ଷା ମଧ୍ୟ ଦିଆଯାଇଛି, ଯାହା ଅଧୀନରେ ସେ ଯେଉଁ ସ୍ଥାନକୁ ଯିବେ ସେହି ସ୍ଥାନ ଉପରେ ବଡ଼ା ନଜର ରଖାଯିବ।

ତେବେ ଆକ୍ରମଣ ପରେ ଦିଲ୍ଲୀ ପୁଲିସ ବୁଧବାର ୪୧ ବର୍ଷୀୟ ରାଜେଶଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ସେ ଗୁଜରାଟର ରାଜକୋଟର ବାସିନ୍ଦା। ଆକ୍ରମଣ ପଛର କାରଣ ଜାଣିବା ପାଇଁ ପୁଲିସ ଅଭିଯୁକ୍ତକୁ ଏବେ ପଚରାଉଚରା କରୁଛି। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିବା ରାଜେଶ ଖିମଜୀର ବଡ଼ ବୟାନ ସାମ୍ନାକୁ ଆସିଛି। ପଚରାଉଚରାରେ ସେ କହିଛି ଯେ, ସେ ଶିବ ମନ୍ଦିର କରି ଶିବଲିଙ୍ଗ ପୂଜା କରେ।

ଯେତେବେଳେ କୁକୁରକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିଲା, ସେତେବେଳେ ତାକୁ ଶିବ ଲିଙ୍ଗରେ ଭଗବାନ ଭୈରବ ଦର୍ଶନ ଦେଇଥିଲେ। ଭୈରବ ରାଜେଶକୁ କୁକୁରମାନଙ୍କ ବିଷୟରେ ଦିଲ୍ଲୀ ଯାଇ କହିବାକୁ କହିଥିଲେ। ଏହାପରେ ରାଜେଶ ସୋମବାର ନିଜ ଘରୁ ଉଜୈନୀରେ ପହଞ୍ଚିଥିଲା। ସେଠାରୁ ସେ ଦିଲ୍ଲୀ ବାହାରିଥିଲା। ବିନା ଟିକେଟରେ ରାଜେଶ ଦିଲ୍ଲୀରେ ପହଞ୍ଚିଥିଲା। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘର କେଉଁଠି ଜାଣିବାକୁ ଚାହିଁଥିଲା।

ଅଭିଯୁକ୍ତ ରାଜେଶ ସିଏମ ରେଖାଗୁପ୍ତାଙ୍କ ପାଖେ ପହଞ୍ଚି ଦିଲ୍ଲୀରୁ କୁକୁରମାନଙ୍କୁ ନ ବାହାର କରିବାକୁ କହିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିନଥିଲେ ବୋଲି ରାଜେଶ ନିଜ ବୟାନରେ ପ୍ରକାଶ କରିଛି।

ଏହାପରେ ସେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିଲା। କିନ୍ତୁ ରାଜେଶର ଏହି କଥା କେତେ ସତ, ତାହା ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀକୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଛି।