fbpx

ଧର୍ମେନ୍ଦ୍ର ହେବେ BJPର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ! ଜାତୀୟ ଗଣମାଧ୍ୟମରେ ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅକ୍ଟୋବର ୧୭ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅପରପକ୍ଷେ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ଜଗତ ପ୍ରକାଶ ନଡ୍ଡା । ଆସନ୍ତା ବର୍ଷ ଜାନୁଆରୀରେ ଶ୍ରୀ ନଡ୍ଡାଙ୍କର କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ଏ କ୍ଷେତ୍ରରେ ଦୁଇଟି ସମ୍ଭାବନା ଦେଖାଦେଇଛି । ପ୍ରଥମତଃ ନଡ୍ଡାଙ୍କର କାର୍ଯ୍ୟକାଳ ବୃଦ୍ଧି, ଦ୍ୱିତୀୟଟି ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ମଙ୍ଗୁଆଳଙ୍କୁ ନିଯୁକ୍ତି କରିବା ।

ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଡ୍ଡାଙ୍କର କାର୍ଯ୍ୟକାଳ ବୃଦ୍ଧି ନ କରନ୍ତି ତେବେ ଏ କ୍ଷେତ୍ରରେ ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସନରେ ବସିବାର ସୌଭାଗ୍ୟ ଜଣେ ଓଡ଼ିଆ ପୁଅ ଲାଭ କରିବାର ସମ୍ଭାବନା ରହିଛି । ସେ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଆସନ୍ତା ୨୦୨୪ ମେଗା ଫାଇଟକୁ ଦୃଷ୍ଟିରେ ରଖି ବିରୋଧୀ ତା’ର ଘର ସଜାଡ଼ିବା ଆରମ୍ଭ କରିଦେଇଥିବା ବେଳେ ଶାସକ ବିଜେପି ମଧ୍ୟ ନିଜର ରଣନୀତି ଆରମ୍ଭ କରିସାରିଲାଣି ।

ଗତ ରାଷ୍ଟ୍ରପତି ନିର୍ବାଚନରେ ଜଣେ ଓଡ଼ିଆଙ୍କୁ ଯେପରି ଭାବେ ମୋଦି ଦେଶର ଶୀର୍ଷ ଆସନରେ ବସାଇଲେ ଅନୁରୂପ ଭାବେ ଧର୍ମେନ୍ଦ୍ରଙ୍କୁ ଶୀର୍ଷ ପଦରେ ବସାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ମୋଦୀ ଓ ଚାଣକ୍ୟ ଅମିତ ଶାହଙ୍କ ସହିତ ଧର୍ମେନ୍ଦ୍ରଙ୍କର ସୁସମ୍ପର୍କ ରହିଥିବା ବେଳେ ତାଙ୍କର ଦକ୍ଷତା ମଧ୍ୟ ରହିଛି । ଅତୀତରେ ଧର୍ମେନ୍ଦ୍ର ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଭଳି ବହୁ ବଡ଼ ବଡ଼ ରାଜ୍ୟରେ ନିଜର କରିସ୍ମା ଦେଖାଇ ସାରିଛନ୍ତି । ଦେଶରେ ନୂଆ ଶିକ୍ଷାନୀତି ଲାଗୁ କରିବା କ୍ଷେତ୍ରରେ ମୋଦି ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ଦେଇଥିଲେ । ସେହିପରି ଧର୍ମେନ୍ଦ୍ରଙ୍କୁ ମୁଖ୍ୟ ପଦରେ ବସାଇଲେ ଦଳ ଏକାଧିକ ଫାଇଦାରେ ରହିପାରେ । ଜାତୀୟ ଓ ରାଜ୍ୟ ସାଙ୍ଗଠନିକ ମଜବୁତ ସହ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଭାଜପାର ସ୍ଥିତି ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇପାରିବ ।

Get real time updates directly on you device, subscribe now.