ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ସରକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବିଭିନ୍ନ ପାୱାର ସହିତ ସୁବିଧା ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ସମୟରେ ଲୋକମାନେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଡିଏମ) ଓ ଡିଷ୍ଟ୍ରିକ୍ଟ କଲେକ୍ଟର (ଡିସି) ପଦକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । କେଉଁ ଅଧିକାରୀଙ୍କ କ୍ଷମତା କ’ଣ, କିଏ ବେଶି ଶକ୍ତିଶାଳୀ, କାହାକୁ ସରକାରଙ୍କ ତରଫରୁ କେଉଁ କେଉଁ ସୁବିଧା ମିଳିଥାଏ ସେ ବିଷୟରେ ଅନେକ ଲୋକ ସବିଶେଷ ତଥ୍ୟ ଜାଣିନଥାନ୍ତି ।
ଡିଏମ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ଅଟନ୍ତି । ସେ ଦେଶର କୌଣସି ଏକ ଜିଲ୍ଲାର ସବୁଠାରୁ ସିନିୟର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଓ ପ୍ରମୁଖ ପ୍ରଭାରୀ ହୋଇଥାନ୍ତି । ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ୱ ରାଜ୍ୟ ହିସାବରେ ଅଲଗା ଅଲଗା ହୋଇଥାଏ । ଜିଲ୍ଲା କଲେକ୍ଟର ବା ଡିସି ଜିଲ୍ଲାରେ ରାଜସ୍ୱ ପ୍ରଶାସନର ସବୁଠାରୁ ବଡ଼ ଅଧିକାରୀ ଅଟନ୍ତି । ରାଜ୍ୟ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା କଲେକ୍ଟରଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟ୍ରାନ୍ସଫର କରିଥାନ୍ତି ।
ଡିଏମ ଗୋଟିଏ ଜିଲ୍ଲାର ପ୍ରଭାରୀ ହୋଇଥାନ୍ତି, ଯେ କି ଜିଲ୍ଲା ପ୍ରଶାସନର ମୁଖ୍ୟ ଅଟନ୍ତି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ଡିଏମଙ୍କୁ ପ୍ରମୋଟ କରାଯାଇଥାଏ । ସେହିପରି ଏମାନେ ରାଜ୍ୟ ସିଭିଲ ସେବା (ଏସସିଏସ) ଓ ଅଣ-ରାଜ୍ୟ ସିଭିଲ ସେବା (ନନ-ଏସସିଏସ) ଦ୍ୱାରା ମଧ୍ୟ ନାମାଙ୍କିତ ହୋଇଥାନ୍ତି । ଡିସି ଗୋଟିଏ ଜିଲ୍ଲାର ମୁଖ୍ୟ ପ୍ରଭାରୀ ହୋଇଥିବା ବେଳେ ସେ ସମସ୍ତ ବିଭାଗ ଉପରେ ନଜର ରଖିଥାନ୍ତି । ଭୂ-ରାଜସ୍ୱକୁ ଏକତ୍ର କରିବା, ପ୍ରଶାସନର ଦେଖାଶୁଣା କରିବା ତାଙ୍କର ମୁଖ୍ୟ କାମ ହୋଇଥାଏ । ଜିଲ୍ଲା ପ୍ରଶାସନ, ଆଇନ ଓ ବ୍ୟବସ୍ଥାର ଦେଖାଶୁଣା କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରୀର ଜଣେ ଲେଖାଏଁ ଡିସିଙ୍କୁ ନିଯୁକ୍ତି ଦେଇଥାନ୍ତି ।
ଜିଲ୍ଲାର ଆଇନ ବ୍ୟବସ୍ଥା ଉପରେ ନଜର ରଖିବା ସହିତ ପୋଲିସର କାର୍ଯ୍ୟକୁ ନିୟନ୍ତ୍ରଣ କରିବା, ନିର୍ଦ୍ଦେଶ ଦେବା, ଅପରାଧ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାଧିକାରୀ ରହିଥାନ୍ତି । ଡିଏମଙ୍କ ପାଖରେ ଜିଲ୍ଲାର ଲକ-ଅପ ଓ ଜିଲ୍ଲାର ପ୍ରଶାସନ ଅଧିକାର ମଧ୍ୟ ରହିଥାଏ । ଡିସି ରେଭିନ୍ୟୁ କୋର୍ଟ ଆୟୋଜନ କରିବା ସହିତ, ଆୟକର ଆଦାୟ କରିବା, ଭୂମି ଅଧିଗ୍ରହଣ ମଧ୍ୟସ୍ଥତା କରିବା, ଭୂ-ରାଜସ୍ୱ ସଂଗ୍ରହ କରିବା, ବିଭିନ୍ନ ବର୍ଗଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ଆଦି କାର୍ଯ୍ୟ କରିଥାନ୍ତି । ଡିସି ଜିଲ୍ଲାର ସର୍ବୋଚ୍ଚ ନ୍ୟାୟିକ ପ୍ରାଧିକରଣ ହୋଇଥାନ୍ତି ।