fbpx

ନଣନ୍ଦଙ୍କ ପ୍ରିୟ ଭାଉଜ ହେବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସହଜ ଟିପ୍ସ୍‌

ଓଡ଼ିଶା ଭାସ୍କର: ଝିଅଟିଏ ବାହା ହୋଇ ଶ୍ୱଶୁର ଘରକୁ ଆସିଲେ ନୂଆ ସମ୍ପର୍କ ସହ ଯୋଡ଼ି ହୋଇଥାଏ । ସେଠାରେ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର ଇତ୍ୟାଦିଙ୍କ ମନ ମାନି ଚଳିବାକୁ ଚେଷ୍ଟା କରିଥାଏ । ନୂଆ ବୋହୂକୁ ଶ୍ୱଶୁର ଘରେ ଆଡଜଷ୍ଟ କରିବାକୁ ସମୟ ଲାଗିଥାଏ । ଏଥିରେ ତାକୁ ଶଶ୍ୱୁର ଘର ଲୋକ ସହଯୋଗ କରିଲେ ସମ୍ପର୍କ ମଧୁର ହୋଇଥାଏ । ଏହି ସମସ୍ତ ସମ୍ପର୍କ ମଧ୍ୟରୁ ଭାଉଜ ଓ ନଣନ୍ଦଙ୍କ ସମ୍ପର୍କ ଟିକିଏ ଭିନ୍ନ । ନୂଆ ଭାଉଜ ପାଇଁ ଗେହ୍ଲୀ ନଣନ୍ଦ ସବୁବେଳେ ଆଖିର ତାରା ହୋଇଥାଏ । ସେ ତାଙ୍କୁ ସାନ ଭଉଣୀ ଭାବେ ବ୍ୟବହାର କରିଥାନ୍ତି । ତେବେ ନଣନ୍ଦ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ନୂଆ ଭାଉଜ ଏହି ସହଜ ଟିପ୍ସ ଆପଣାଇପାରିବେ ।

୧. ବନ୍ଧୁତା ସ୍ଥାପନ କରନ୍ତୁ: ସାଧାରଣତଃ ଜଣଙ୍କୁ ବୁଝିବା ପାଇଁ ବନ୍ଧୁତାର ସମ୍ପର୍କ ଆରମ୍ଭ କରିଥାଉ । ଏହା ଦ୍ୱାରା ଆପଣ ପରସ୍ପରକୁ ବିଝିବା ସହ ଅନେକ କଥା ଯେପରି ପସନ୍ଦ ଅପସନ୍ଦ ଇତ୍ୟାଦି ବିଷୟ ଶେୟାର କରିଥାନ୍ତି । ସମ୍ପର୍କକୁ ଧିରେ ଧିରେ ସୁଦୃଢ଼ କରିବା ପାଇଁ ପରସ୍ପରର ସମ୍ମାନ କରନ୍ତୁ । କୌଣସି କଥାକୁ ନେଇ ମନମାଳିନ୍ୟ ହୋଇଥିଲେ ବନ୍ଧୁ ଭଳି ଆପୋସ ବୁଝାମଣା ସାହାଯ୍ୟରେ ଦୂର କରନ୍ତୁ । ଏଭଳି ସ୍ଥିତିରେ ପରସ୍ପରର ଶତ୍ରୁ ହେବା ବିଚାର ମନରୁ ଦୂରେଇ ଦିଅନ୍ତୁ ।

୨. ପରାମର୍ଶ ନିଅନ୍ତୁ: ନୂଆ ଭାଉଜ ଘରକୁ ଆସିଲେ ନଣନ୍ଦ ତାଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ । ଏହା ପ୍ରତିବଦଳରେ ଆପଣଙ୍କୁ ମଧ୍ୟ ସମାନ ବ୍ୟବହାର ମିଳିଥାଏ । କୌଣସି କଥାକୁ ନେଇ ଦ୍ୱନ୍ଦରେ ଥିଲେ ଭାଉଜ ନଣନ୍ଦର ଏବଂ ନଣନ୍ଦ ଭାଉଜର ପରାମର୍ଶ ନେଇପାରିବେ । ସମସ୍ତେ ସବୁ କଥା ଜାଣି ନଥାନ୍ତି ତେଣୁ ପଚାରିବାରେ କୁଣ୍ଠାବୋଧ କରନ୍ତୁ ନାହିଁ । ଏହା ଦ୍ୱାରା ସମସ୍ୟାର ସମାଧାନ ସରଳ ହୋଇଥାଏ ।

୩. ସମୟ ବିତାନ୍ତୁ: ନୂଆ ଭାଉଜ ନଣନ୍ଦଙ୍କ ସହ ୱିକେଣ୍ଡରେ କ୍ୟୁାଲିଟି ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ । ନଣନ୍ଦଙ୍କ ସହ ଫିଲ୍ମ, ଶପିଂ, ରେଷ୍ଟୁରାଣ୍ଟ, ପିକନିକ୍ କିମ୍ବା ଭେକେସନରେ ଯାଇପାରିବେ । ଏହା ଦ୍ୱାରା ଆପଣ ପରସ୍ପରକୁ ଉତ୍ତମ ଭାବେ ବୁଝି ପାରିବେ ।

୪. ପରସ୍ପରର ସହଯୋଗ କରନ୍ତୁ: ନଣନ୍ଦ ଭାଉଜ ପରସ୍ପରକୁ ଘର କାମରେ ସହଯୋଗ କରନ୍ତୁ । ଭାଉଜ ନଣନ୍ଦଙ୍କ ଠାରୁ କିଛି ନୂଆ ରୋଷେଇ ଶିଖିବା କିମ୍ବା ସିଲେଇ ଇତ୍ୟାଦି ପାଇଁ ସାହାଯ୍ୟ ମଧ୍ୟ ନେଇପାରିବେ । କୌଣସି କାମ ବଡ଼ ଛୋଟ ନୁହେଁ ତେଣୁ ଶିଖିବାରେ କି ପଚାରିବାରେ ଲାଜ କରିବା ଉଚିତ ନୁହେଁ । ପରିବାରରେ ମିଳିମିଶି ଚଳିଲେ ଘରର ମାହୋଲ ସକାରାତ୍ମକ ହୋଇଥାଏ ।

Get real time updates directly on you device, subscribe now.