fbpx

ବିସିସିଆଇ ପାଇଁ ଘରୋଇ କ୍ରିକେଟ୍‌ ବିରାଟ ଚାଲେଞ୍ଜ: ୧୩ ଟୁର୍ଣ୍ଣାମେଣ୍ଟ୍‌ର ୧୦୫୪ ମ୍ୟାଚ୍‌ ଆୟୋଜନ କରିବ

ନୂଆଦିଲ୍ଲୀ: ଗତ ବର୍ଷ କରୋନା ପ୍ରଭାବ ଯୋଗୁ ବିସିସିଆଇ ଘରୋଇ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରିବା ଦିଗରେ ସଫଳ ହୋଇ ପାରି ନ ଥିଲା । ମାତ୍ର ଚଳିତ ବର୍ଷ ଦେଶରୁ କରୋନା ଆତଙ୍କ ସମ୍ପୂର୍ଣ୍ଣ ହଟି ନ ଥିଲେ ହେଁ ଏହାକୁ ଚାଲେଞ୍ଜ କରି ବିସିସିଆଇ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଣ୍ଟା ଭିଡିଛି । ତେଣୁ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଘରୋଇ ସିଜିନରେ ବିଭିନ୍ନ ବର୍ଗର ମୋଟ ୧୩ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ତେଣୁ ଦେଶର ୨୫ ପୃଥକ ନଗରୀରେ ସମସ୍ତ ଟୁର୍ଣ୍ଣାମେଣ୍ଟର ମୋଟ ୧୦୫୪ ମ୍ୟାଚ ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରା ଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଖେଳାଳିଙ୍କ ସହିତ ଅନ୍ୟ ସମସ୍ତ ମ୍ୟାଚ ଅଫିସିଆଲ ଓ କର୍ମକର୍ତ୍ତା ରହିବା ପାଇଁ ୨୫ ସହରରେ ୭୫ ହୋଟେଲ ବୁକ୍‌ କରିବାକୁ ପଡିବ । ତେଣୁ ପ୍ରତି ହୋଟେଲରେ ପ୍ରାୟ ୨୨୦ ରୁମ ରିଜର୍ଭ କରିବା ସହିତ ସେଠାରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷିତ ବାୟୋ-ବବଲ ପରିବେଶ ପ୍ରସ୍ତୁତ କରାଯିବ । ନଚେତ ଏତେ ସଂଖ୍ୟକ ଖେଳାଳିଙ୍କୁ ସୁରକ୍ଷିତ ରଖିବା ଅସମ୍ଭବ ।

ବିସିସିଆଇ ପାଇଁ ଏହା ଏକ ବଡ ଚାଲେଞ୍ଜ ଓ ବିଶ୍ୱ ରେକର୍ଡ । କାରଣ ବହୁ ଦିନ ଧରି ହଜାର ହଜାର ଖେଳାଳିଙ୍କୁ ନେଇ ନିରାପଦରେ ସମସ୍ତ ଟୂର୍ଣ୍ଣାମେଣ୍ଟ ଆୟୋଜନ କରିବା କଷ୍ଟକର । ଆପୋଲୋ ହସପିଟାଲକୁ କୋଭିଡ ପ୍ରୁଫ୍‌ ବାୟୋ ସୁରକ୍ଷିତ ପରିବେଶ ପ୍ରସ୍ତୁତ କରିବା ଦାୟିତ୍ୱ ଦିଆ ଯାଇଛି । ଚଳିତ ସେପ୍ଟେମ୍ବର ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ କ୍ରିକେଟ ସିଜିନ ଆସନ୍ତା ବର୍ଷ ଏପ୍ରିଲ ମାସ ୨ ତାରିଖ ଦିନ ଶେଷ ହେବ । ତେବେ ଚଳିତ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଟୁର୍ଣ୍ଣାମେଣ୍ଟ ଗୁଡିକ ହେଲା – ସୟଦ ମୁସ୍ତାକ ଅଲି ଟ୍ରଫି, ବିଜୟ ହଜାରେ ଟ୍ରଫି, ପୁରୁଷ ଷ୍ଟେଟ୍‌ ଦିନିକିଆ ,କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି,ବିନୁ ମଙ୍କଡ ଟ୍ରଫି, ପୁରୁଷ ୧୯ ବର୍ଷରୁ କମଦିନିକିଆ ଚାଲେଞ୍ଜର, କୁଚ ବିହାର ଟ୍ରଫି, ସିନିୟର ମହିଳା ଟି୦୨୦ ଲିଗ,ସିନିୟର ମହିଳା ଦିନିକିଆ ଲିଗ, ସିନିୟର ମହିଳା ଦିନିକଆ ଚାଲେଞ୍ଜର ଟ୍ରଫି, ମହିଳା ୧୯ ବର୍ଷରୁ କମ ଦିନିକିଆ ଲିଗ ଓ ମହିଳା ୧୯ ବର୍ଷରୁ କମ ଦିନିକିଆ ଚାଲେଞ୍ଜର ଟ୍ରଫି ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ ସ୍ୱଳ୍ପ ସଂଖ୍ୟକ ମ୍ୟାଚ ଅନୁଷ୍ଠିତ ହେବା ପରେ କରୋନା ଯୋଗୁ ବନ୍ଦ କରା ଯାଇଥିଲା । ତେଣୁ ଚଳିତ ବର୍ଷ କରୋନା ପରିସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ କ୍ରିକେଟ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ବିସିସିଆଇ ସବୁ ପ୍ରକାର ପ୍ରତିକାର ଭୂଳକ ବ୍ୟବସ୍ଥା କରିବା ପାଇଁ ଲାଗି ପଡିଛି । ତେଣୁ ମ୍ୟାଚ ଆୟୋଜକ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନକୁ ଏଥି ।ଇଁ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆ ଯାଇଛି । ସେହିପରି କରୋନା ଗାଇଡ ଲାଇନ ମାନିବା ପାଇଁ ସମସ୍ତଙ୍କୁ ସଚେତନ କରା ଯାଇଛି ।

Get real time updates directly on you device, subscribe now.