ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ,୨୦ା୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେଇଛନ୍ତି ।  ଆମେରିକାର ସମୟ ମଧ୍ୟାହ୍ନ ୧୨ଟା (ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ୧୦ଟା)ରେ ସଂସଦ ପରିସରରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଉପରାଷ୍ଟ୍ରପତି ଭାବେ ଜେ.ଡି ଭେନ୍ସ ଶପଥ ନେଇଥିଲେ । ପରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବାବେଳେ ଟ୍ରମ୍ପ କହିଛନ୍ତି, ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହେଲା ।  ହତ୍ୟା ଉଦ୍ୟମ ପରେ ଈଶ୍ୱର ମୋତେ ପୁଣି ଆମେରିକାର ଉଚ୍ଚ ପଦରେ ଅଧିଷ୍ଠିତ କରାଇଛନ୍ତି ।  ଆମେରିକାକୁ ଅବୈଧ ପ୍ରବେଶ ହେବ ନାହିଁ । କେହି ଆମେରିକାର ବ୍ୟବହାର କରିପାରିବେ ନାହିଁ । ଆମେରିକାରେ ଡ୍ରଗ୍ସ ଚୋରା କାରବାରକାରୀଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିବେ।

ଆଜିଠାରୁ ଆମ ଦେଶ ପୁନର୍ବାର ସମୃଦ୍ଧ ହେବ ଏବଂ ଆମକୁ ସାରା ବିଶ୍ୱରେ ସମ୍ମାନ ଦିଆଯିବ। ଆମେ କୌଣସି ଦେଶକୁ ଆଉ ଅଧିକ ଲାଭ କରିବାକୁ ଅନୁମତି ଦେବୁ ନାହିଁ। ଆମର ସାର୍ବଭୌମତ୍ୱ ପୁନଃ ପ୍ରାପ୍ତ ହେବ। ଆମର ସୁରକ୍ଷା ପୁନଃ ସ୍ଥାପିତ ହେବ।  ଗର୍ବିତ, ସମୃଦ୍ଧ ଏବଂ ମୁକ୍ତ ଦେଶ ଗଠନ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଟ୍ରମ୍ପ କହିଛନ୍ତି।

ଏହି ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଏଲନ ମସ୍କ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।,