ଓଡ଼ିଶା ଭାସ୍କର: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟ ପେୟ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟି ଥାଏ । ବର୍ତ୍ତମାନ ଶୀତଦିନେ ରୋଗପ୍ରତିରୋଧକ ଶକ୍ତି କମ ଥିବାରୁ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ।
ଏଥିମଧ୍ୟରେ ଆସ୍ଥମା ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି।
ଆସ୍ଥମାରେ ପୀଡ଼ିତ ବ୍ୟକ୍ତିଙ୍କ ଶ୍ୱାସ ନଳି ଫୁଲି ଯାଇଥାଏ ଯଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ସମସ୍ୟା ଦେଖାଦେଇଥାଏ । ଏହା ହୃଦୟ ଏବଂ ଫୁସଫୁସର ସ୍ୱାସ୍ଥ୍ୟ ପାଇଁ ବିପଦ ସାଜିପାରେ ।
ଆସ୍ଥମାର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। ସଠିକ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ ।
ତେବେ ଆସନ୍ତୁ ଜାଣିବା ଆସ୍ଥମାର କିଛି ପ୍ରାରମ୍ଭିକ ଲକ୍ଷଣ ବିଷୟରେ ।
୧. କାଶ ହେବା: ବର୍ଷା ଦିନେ କିମ୍ବା ଜଳବାୟୁ ପରିବର୍ତ୍ତନ ସମୟରେ ଥଣ୍ଡା, କାଶ, ଜ୍ୱର ହେବା ସ୍ୱାଭାବିକ କଥା । କିନ୍ତି ଏହା ବ୍ୟତୀତ ଅନ୍ୟ ସମୟରେ ବାରମ୍ବାର କାଶ ହେବା ଆସ୍ଥମାର ସଂକେତ ହୋଇପାରେ ।
ବିଶେଷ କରି ହସିବା କିମ୍ବା ଶୋଇବା ପରେ କାଶ ବଢ଼ିଥାଏ । ଏହି କାଶ ଗଳାରୁ ନୁହେଁ ବରଂ ଛାତିରୁ ଆସିଥାଏ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।
୨. ନିଶ୍ୱାସ ପ୍ରଶ୍ୱାସ ସମୟରେ ଅସୁବିଧା ଅନୁଭବ କରିବା: ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ(ସିଟି ଭଳି କିଛି ଆୱାଜ୍ ଆସୁଥିଲେ) ଅସୁବିଧା ଅନୁଭବ କରୁଥିଲେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ବେଳେ ବେଳେ ବ୍ୟକ୍ତି ଦୀର୍ଘ ଶ୍ୱାସ ନେଇଥାଏ ।
୩. ଛାତିରେ ଯନ୍ତ୍ରଣା: ଛାତି ଯନ୍ତ୍ରଣା ସବୁବେଳେ ହୃଦରୋଗ କାରଣରୁ ହୋଇନଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଆସ୍ଥମା ଆଟାକ୍ କାରଣରୁ ବ୍ୟକ୍ତିକୁ ଛାତିରେ ଭାରିପଣ ଅନୁଭବ ହେବା, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଇତ୍ୟାଦି ଦେଖାଯାଇଥାଏ ।
୪. ଥକ୍କାପଣ ଅନୁଭବ ହେବା: ଆସ୍ଥମା ଆଟାକ୍ ହେବାର ସେମିତି କିଛି ନିର୍ଦ୍ଦିଷ୍ଟ ବୟସ ନାହିଁ । ତଥାପି ୪୦ରୁ ୫୦ ବର୍ଷ ବୟସ୍କଙ୍କ ମଧ୍ୟରେ ଅଧିକ ଦେଖାଦେଇଥାଏ ।
ଅଧିକାଂଶ କ୍ଷେତ୍ରରେ ଆଲର୍ଜି କିମ୍ବା ଥଣ୍ଡା ସର୍ଦ୍ଦି ହୋଇଥିଲେ ଆସ୍ଥମା ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।