fbpx

ଧୈର୍ଯ୍ୟହରା ହେଲାଣି ଡ୍ରାଗନ, ପାକିସ୍ତାନରେ କରିପାରେ ଏୟାରଷ୍ଟ୍ରାଇକ, ଦୂତାବାସ ପହଞ୍ଚିଲେ ଶେହବାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଏପ୍ରିଲ ୨୬ରେ ଚୀନ ନାଗରିକଙ୍କୁ ନିଶାଣ କରି ଆକ୍ରମଣ କରାଯାଇଛି। କରାଚୀ ବିଶ୍ଵ ବିଦ୍ୟାଳୟରେ କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ୍ ନିକଟରେ ଏକ ଭ୍ୟାନରେ ହୋଇଥିବା ବିସ୍ଫୋରଣରେ ତିନି ଚାଇନା ନାଗରିକ ସହିତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଗତ କିଛି ବର୍ଷ ହେବ ଅନେକ ଥର ଚୀନ ନାଗରିକଙ୍କୁ ଟାର୍ଗେଟ୍ କରି ହମଲା କରାଯାଇଛି। ତେବେ ଏହି ଆତ୍ମଘାତୀ ଆକ୍ରମଣ ପରେ ପ୍ରଶ୍ମ ଉଠିଛି ଯେ, କଣ ଚୀନ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବ ?

ଏହି ଆକ୍ରମଣର ଗମ୍ଭୀରତା ଏତେ ରହିଛି ଯେ, ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇସଲାମାବାଦ ସ୍ଥିତ ଚୀନ ଦୂତାବାସ ପହଞ୍ଚିଛନ୍ତି। ସେ ଚୀନକୁ କହିଛନ୍ତି ଯେ ପର୍ଯ୍ୟନ୍ତ ଅପରାଧୀଙ୍କୁ ଦଣ୍ଡ ନମିଳିଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଶାନ୍ତିରେ ବସିବ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ହେଉଥିବା ଲଗାତାର ଆକ୍ରମଣ କାରଣରୁ ପାକିସ୍ତାନ ଉପରେ ଚାପ ବଢିବାରେ ଲାଗିଛି। ଯଦି ଏମିତି ଆଗକୁ ଚାଲେ ତେବେ ଚୀନ ପାକିସ୍ତାନ ଇକୋନୋମିକ କରିଡର ଶୀତଳ ଭଣ୍ଡାରକୁ ଚାଲିଯିବ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚୁନଓ୍ଵିଙ୍ଗ କହିଛନ୍ତି, ଆମେ କରାଚୀ ବିଶ୍ଵ ବିଦ୍ୟାଳୟରେ ଚାଇନା ଶିକ୍ଷକଙ୍କୁ ଟାର୍ଗେଟ୍ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରୁଛୁ। ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ଚୀନ-ପାକିସ୍ତାନର ବନ୍ଧୁତା ପ୍ରଭାବିତ ହେବ ନାହିଁ। ଅପରାଧୀଙ୍କୁ କଦାପି ଛଡାଯିବ ନାହିଁ ବୋଲି ସେ କହିଛନ୍ତି।

ପୁଣି କେଉଁଠୁ ଆସିଲା ଏୟାରଷ୍ଟ୍ରାଇକ କଥା ?

ଚୀନ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ସଂପାଦକ ରହିଥିବା ହୁଆ ହୁ ଜିଜିନ କହିଛନ୍ତି, ବଲୁଚ ଲିବେରେସନ ଆର୍ମି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ମୁଁ ପାକିସ୍ତାନ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଏହି ଆତଙ୍କୀ ସଂଗଠନର ଶିବିର ଉପରେ ଏୟାରଷ୍ଟ୍ରାଇକ ଆରମ୍ଭ କରିବା ପାଇଁ ଚୀନ ସେନାର ସମର୍ଥନ କରିବି।

ବିଶେଷଜ୍ଞଙ୍କ କହିବା କଥା ଜିଜିନ ଚୀନ ସରକାରରେ ନାହାନ୍ତି। ନା ସେ ସରକାରୀ ପ୍ରତିନିଧି, ତଥାପି ସେ ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ପ୍ରଚାରକ ଅଟନ୍ତି। ସେ ସରକାରଙ୍କ ନୀତିକୁ ବେଶ ଭଲ ଭାବେ ଜାଣିଛନ୍ତି। ତେଣୁ ତାଙ୍କର ଏହି ବୟାନକୁ ଚେତାବନୀ ରୂପେ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ଚୀନ ପାକିସ୍ତାନକୁ ଏହା କହିବାକୁ ଚାହୁଁଛି ଯେ, ଯଦି ଆପଣ ପାକିସ୍ତାନରେ ଚୀନ ନାଗରିକଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ତେବେ ଆମ ଉପରେ ଛାଡି ଦିଅନ୍ତୁ, ଆମେ ଦେଖି ନେବୁ।

 

Get real time updates directly on you device, subscribe now.