ଭୁବନେଶ୍ୱର: ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଗତଥରର ବିଜେତା ବେଲ୍ଜିୟମ ଏବଂ ପୂର୍ବରୁ ଦୁଇଥର ବିଜେତା ହୋଇଥିବା ଜର୍ମାନୀ ମଧ୍ୟରେ ମୁକାବିଲା ହେବ। ହକି ବିଶ୍ୱକପ ଫାଇନାଲ ଦେଖିବାକୁ ପତ୍ନୀଙ୍କ ସହ ପହଞ୍ଚିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପହଞ୍ଚିଛନ୍ତି। ହକି ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମାନଙ୍କୁ ପଠାଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣ ରକ୍ଷା କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସି ପହଞ୍ଚିଛନ୍ତି।
ଏହା ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ୍ସ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ବିଜୟ ସହିତ ନେଦରଲ୍ୟାଣ୍ଡ୍ସ ତୃତୀୟ ସ୍ଥାନରେ ରହି ବିଶ୍ୱକପ ଅଭିଯାନ ଶେଷ କରିଛି। ଜର୍ମାନୀ ପୂର୍ବରୁ ୨୦୦୨ ଓ ୨୦୦୬ ମସିହାରେ ଚମ୍ପିୟାନ୍ ହୋଇଥିବା ବେଳେ ୧୯୯୨ ଏବଂ ୨୦୧୦ରେ ରନର୍ସ ଅପ୍ ହୋଇଥିଲା। ସେହିଭଳି ବେଲ୍ଜିୟମ ୨୦୧୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ର ବିଜେତା ହୋଇଥିଲା।
ଆୟୋଜକ ଭାରତ ଏହି ବିଶ୍ୱକପ୍ରେ ଯୁଗ୍ମ ୯ମ ସ୍ଥାନ ସହ ନିଜ ଅଭିଯାନ ଶେଷ କରିଛି। ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ପୋଜିସନ ମ୍ୟାଚ୍ରେ ଭାରତ ୫-୨ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ସହ ଆର୍ଜେଣ୍ଟିନା ସହିତ ଯୁଗ୍ମ ୯ମ ସ୍ଥାନରେ ରହିଛି।