fbpx

ବୈଜ୍ଞାନିକଙ୍କ ୬୦ ବର୍ଷର ସଂଘର୍ଷର ଅନ୍ତ: ବିଶ୍ୱର ପ୍ରଥମ RSV ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଅନବରତ ପ୍ରୟାସ ପରେ ଶେଷରେ ବୈଜ୍ଞାନିକମାନେ ପାଇଛନ୍ତି ବଡ଼ ସଫଳତା । ପାଖାପାଖି ୬୦ ବର୍ଷ ପରେ ରେସପିରେଟୋରି ସିନସିଟିଆଲ ଭାଇରସ (ଆରଏସଭି) ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଛି । ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ପକ୍ଷରୁ ବିଶ୍ୱର ପ୍ରଥମ ଆରଏସଭି ଭ୍ୟାକ୍ସିନ ସମ୍ବନ୍ଧରେ ଅଫିସିଆଲ ଭାବେ ଘୋଷଣା କରାଯାଇଛି ।

ଥଣ୍ଡାର ଶିକାର ହେଉଥିବା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଆରଏସଭି ଏକ ଭୟଙ୍କର ବୀମାରୀ ଭାବେ ପରିଗଣିତ ହୋଇଥାଏ । ଅଳ୍ପ ବୟସର ପିଲା ଓ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଘାତକ ସାଜିଥାଏ । ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ପ୍ରତିବର୍ଷ ଆମେରିକାରେ ୧.୬ ଲକ୍ଷ ବୟସ୍କ ଆରଏସଭି ସଂକ୍ରମିତ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ହଜାର ମୃତ୍ୟୁବରଣ କରିଥାନ୍ତି ।

ବୟସ୍କ ଲୋକ ଏଥିରେ ସଂକ୍ରମିତ ହେବା ଫଳରେ ସେମାନଙ୍କଠାରେ ଫୁସଫୁସ ଓ ହୃଦ ରୋଗ ଦେଖାଦେବା ସହ ଇମ୍ୟୁନ୍ ସିଷ୍ଟମକୁ ଦୁର୍ବଳ କରିଦେଇଥାଏ । ତେଣୁ ଏଭଳି ସ୍ଥିତିରେ ବିଶ୍ୱର ପ୍ରଥମ ଆରଏସଭି ଭ୍ୟାକ୍ସିନ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି ଏଫଡିଏର ବାୟୋଲୋଜିକସ ଇଭାଲୁଏସନ ଓ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ଏହି ମତ ଦେଇଛନ୍ତି ।

୩ଟି ପର୍ଯ୍ୟାୟରେ ଟ୍ରାଏଲ କରାଯିବା ପରେ ଏହି ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ମିଳିଥାଏ । ଆରଏସଭି ଭ୍ୟାକ୍ସିନର ଗୋଟିଏ ଡୋଜ୍ ଲକ୍ଷଣଜନିତ ରୋଗର ଆଶଙ୍କାକୁ ୮୩ ପ୍ରତିଶତ ଓ ଗମ୍ଭୀର ରୋଗର ଆଶଙ୍କାକୁ ୯୪ ପ୍ରତିଶତ ହ୍ରାସ କରିପାରିବ । ୬୦ ବର୍ଷ ପୂର୍ବରୁ ଗବେଷକମାନେ ପ୍ରଥମ ଥର ପାଇଁ ଆରଏସଭି ଭ୍ୟାକ୍ସିନ ବିକଶିତ କରିବା ପାଇଁ ପ୍ରୟାସ କରିଥିଲେ । ଦୀର୍ଘବର୍ଷ ପରେ ବୈଜ୍ଞାନିକମାନେ ଏ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.