fbpx

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚଥରର ବିଧାୟକ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କ୍ଷମତାସୀନ ବିଜେପି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ ବିରୋଧୀମାନେ ନରେନ୍ଦ୍ର ମୋଦୀଙ୍କ ରଥକୁ ରୋକିବାକୁ ଏକାଠି ହେଲେଣି । ଏଥିସହିତ ଚଳିତ ବର୍ଷ ଶେଷ ଆଡ଼କୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ବିଜେପି କେନ୍ଦ୍ରରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀମାନେ ଏହାକୁ ଭଣ୍ଡୁର କରିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି ।

ସାଧାରଣ ଭାବେ ନିର୍ବାଚନ ସମୟ ଆସିଲେ ନେତାମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଲମ୍ଫ ପ୍ରଦାନ କରିବା ଦେଖାଯାଇଥାଏ । ଟିକେଟ ନ ମିଳିବା ଓ ରାଜନୈତିକ ଫାଇଦାକୁ ଦୃଷ୍ଟିରେ ରଖି ନେତାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥାନ୍ତ । ତେବେ ଏହା ମଧ୍ୟରେ ବିଜେପିର ଜଣେ ବଡ଼ ନେତା ଦଳ ଛାଡ଼ିଛନ୍ତି । ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏ. ଚନ୍ଦ୍ରଶେଖର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାପତ୍ର ସେ ତେଲେଙ୍ଗାନା ବିଜେପି ସଭାପତି ଜି. କିଶାନ ରେଡ୍ଡୀଙ୍କୁ ନିକଟକୁ ପଠାଇ ଦେଇଛନ୍ତି ।

୧୯୮୫ରୁ ୨୦୦୮ ମସିହା ମଧ୍ୟରେ ଚନ୍ଦ୍ରଶେଖର ବିକାରାବାଦରୁ ବିଧାୟକ ଭାବେ ପାଞ୍ଚ ଥର ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତେଲଗୁ ଦେଶମ ପାର୍ଟି (ଟିଡିପି) ଟିକେଟରେ ୪ ଥର ଓ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଟିକେଟରେ ଥରେ ବିଧାୟକ ଭାବେ ଜିତିଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଓ ବିଜେପିରେ ସାମିଲ ହୋଇଥିଲେ । ତେବେ ବିଜେପିର ହାତ ଛାଡ଼ିବା ପରେ ଚନ୍ଦ୍ରଶେଖର ଆସନ୍ତା ୧୮ ତାରିଖରେ କଂଗ୍ରେସରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.