ରୁଟି ପାଇଁ ମହାଭାରତ… ବରକୁ ଫେରେଇନେଲେ ବରଯାତ୍ରୀ, ଥାନାକୁ ଧାଇଁଲେ କନିଆଁ ପକ୍ଷ
ରୁଟିକୁ କେନ୍ଦ୍ର କରି ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡ଼ା ହେଲା । ସାମାନ୍ୟ କଥା ପାଇଁ ଘର ଦୁଆର ମୁହଁରୁ ଫେରିଗଲା ବର ।
ଚନ୍ଦୋଲି: ଚନ୍ଦୋଲି ଜିଲ୍ଲା ମୁଗଲସରାୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ୭ ମାସ ପୂର୍ବରୁ ଯୁବତୀଙ୍କ ବିବାହ ମହତାବ ନାମକ ବ୍ୟକ୍ତିଙ୍କ ସହ ସ୍ଥିର କରାଯାଇଥିଲା । ବିବାହ ତାରିଖ ଡିସେମ୍ବର ୨୨ ତାରିଖ ଧାର୍ଯ୍ୟ କରାଗଲା । ନିର୍ଦ୍ଧାରିତ ଦିନ ବରଯାତ୍ରୀ ଧରି ମହତାବ ବାହାହେବା ଲାଗି ବାହାରିପଡ଼ିଲେ । ବ୍ୟାଣ୍ଡ –ବାଜା ବଜେଇ ମହତାବ ଚାଲିଲେ ବାହାହେବା ପାଇଁ ।
ଝିଅ ଘର ଲୋକେ ପ୍ରଥମେ ମିଠା ଖୁଆଇ ବରଯାତ୍ରୀର ସ୍ୱାଗତ କଲେ । ପରେ ସେମାନଙ୍କ ପାଇଁ ଆୟୋଜନ ହୋଇଥିବା ଭୋଜି ଖାଇଲେ । କିନ୍ତୁ ବରଯାତ୍ରୀରେ ଯାଇଥିବା ଜଣଙ୍କ ପାଖକୁ ରୁଟି ଡେରିରେ ପହଞ୍ଚିବାକୁ କେନ୍ଦ୍ର କରି ସେଠାରେ କଳିଗୋଳ ଆରମ୍ଭ ହୋଇଥିଲା । ଫଳରେ ବରକୁ ଫେରେଇ ନେଇଥିଲେ ବରଯାତ୍ରୀ । ଏହାପରେ କନିଆଁର ଆଉ ଜଣେ ସମ୍ପର୍କୀୟ ଭଉଣୀଙ୍କୁ ବର ବାହାହୋଇଗଲେ । ଘଟଣାରେ କନିଆଁ ଘର ଉପରେ ଦୁଃଖର ପାହାଡ଼ ଭାଙ୍ଗି ଗଲା ।
ଏ ନେଇ କନିଆଁ ଘର ଲୋକେ ଥାନାରେ ଅଭିଯୋଗ କଲେ । ଥାନା ଅଧିକାରୀ ମାମଲାକୁ ଗୁରୁତର ସହିତ ନନେବା କାରଣରୁ ପୀଡ଼ିତାଙ୍କ ପରିବାର ଲୋକ ଏସପିଙ୍କ ପାଖରେ ପହଞ୍ଚି ଗୁହାରିୀ ଗଲେ । ଉଚ୍ଚାଧିକାରୀଙ୍କ ହସ୍ତକ୍ଷେପ କ୍ରମେ ବର ଘର ଲୋକେ କ୍ଷତିପୂରଣ ବାବଦକୁ କନିଆଁ ଘର ଲୋକଙ୍କୁ ଟଙ୍କା ଦେଇ ଘଟଣାର ସମାଧାନ ହୋଇଥିଲା ।