fbpx

ବିଶିଷ୍ଟ ଅଭିନେତା ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର (ଓଡ଼ିଶା ଭାସ୍କର): ବିଶିଷ୍ଟ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଜଣେ ସାହିତ୍ୟପ୍ରେମୀ, ସୁନାମଧନ୍ୟ ଓକିଲ, ସଫଳ ରାଜନେତା ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି ।

ସେ ଦୀର୍ଘ ଦିନଧରି ବହୁ ଜଟିଳ ରୋଗରେ ପଡିତ ରହି ଶଯ୍ୟାଶାୟୀ ଥିଲେ । ତେବେ ତାଙ୍କ ଶରୀର ବିଶେଷ ଅସୁସ୍ଥ ହେବାରୁ ନିକଟରେ ତାଙ୍କୁ ଭଞ୍ଜନଗର ବାସଭବନରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ମଇ ୨୫ ତାରିଖ ସକାଳ ୬.୧୫ ମିନଟରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନଘାଟରେ ପରିବାରଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଶବଧାର ପାଖରେ ବିଧବା ପତ୍ନୀ ବିଜୟଲକ୍ଷ୍ମୀ ମିଶ୍ରଙ୍କ ସମେତ ୩ ପୁଅ ସତ୍ୟଜିତ୍‌ ମିଶ୍ର, ବିଶ୍ୱଜିତ ମିଶ୍ର ଓ ରଣଜିତ୍‌ ମିଶ୍ର ଓ ଏକମାତ୍ର କନ୍ୟା ଗୀତାଞଳୀ ମିଶ୍ର ତଥା ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ ।

ସେ ୧୯୮୫ରୁ ୧୯୯୦ଯାଏଁ ଥରଟିଏ ପାଇଁ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ସେ କଂଗ୍ରେସ ଦଳରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ବେଶ କିଛି ବର୍ଷ ଓରେଡାର ଅଧ୍ୟକ୍ଷଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ ମଧ୍ୟ କରିଥିଲେ । ସ୍ୱର୍ଗତ ଉମାକାନ୍ତ ମିଶ୍ର ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା ଗ୍ରାମରେ ଗୋଟିଏମଧ୍ୟବିତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଓକିଲାତି ଜୀବନ ଆରମ୍ଭ କରିବା ସହ ସେ ଭଞ୍ଜନଗର ସହରରେ ସ୍ଥାୟୀଭାବେ ରହିଥିଲେ । ସେ ପୂର୍ବତନ ମନ୍ତ୍ରୀ ସୋମନାଥ ରଥଙ୍କ ବଡଜ୍ୱାଇଁ ଥିଲେ । ଜଣେ ଆଗଧାଡିର ସଫଳ କଳାକାର ଭାବେ ଅଞ୍ଚଳରେ ବେଶସୁଖ୍ୟାତି ଅର୍ଜନ କରିଥିଲେ । ମଞ୍ଚ ନାଟକ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା । ସେ ଭଞ୍ଜନଗରରେ ତରୁଣ କଳାକାର ସଂସ୍ଥା ଗଢି ଅନେକ ନାଟକ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ଅଂଚଳବାସୀଙ୍କୁ ଭେଟି ଦେଇଥିଲେ ।

Get real time updates directly on you device, subscribe now.