ଚାଷୀଙ୍କଠୁ ଗୋବର ଏବଂ ଗୋମୂତ୍ର କିଣିବେ ମଧ୍ୟ ପ୍ରଦେଶ ସରକାର, ବଢିବ ଆତ୍ମନିର୍ଭରତା

ଭୋପାଳ : ମଧ୍ୟ ପ୍ରଦେଶର ବିଭିନ୍ନ ସହରରେ ଆରମ୍ଭ ହେବ ଗୋବର୍ଦ୍ଧନ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟ ଆଧାରରେ ଚାଷୀଙ୍କଠୁ ଗୋବର ଏବଂ ଗୋ ମୂତ୍ର କିଣାଯିବା ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରବିବାର ଏହାର ସୂଚନା ଦେଇଛନ୍ତି । ଗୁଜରାଟ ସହିତ ଅନ୍ୟ ରାଜ୍ୟଗୁଡିକରେ ଗୋ ସମ୍ବର୍ଦ୍ଧନ ଏବଂ ଗୋ ସଂରକ୍ଷଣର ପ୍ରୟୋଗ ଅଧ୍ୟୟନ କରି ମଧ୍ୟ ପ୍ରଦେଶରେ ଏହାକୁ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚୌହ୍ୱାନ ମନ୍ତ୍ରିମଣ୍ଡଳର ବୈଠକରେ କହିଛନ୍ତି, ସାଧାରଣ ଲୋକଙ୍କୁ ଗାଈ ଏବଂ ସଡକରେ ବିଚରଣ କରୁଥିବା ଅନ୍ୟ ପଶୁଙ୍କ ରକ୍ଷଣାବେକ୍ଷଣ ପ୍ରତି ସଚେତନ କରାଯିବାର ଆବଶ୍ୟକତା ରହିଛି । ଏହା ଉପରେ ଏବେ ଗୁରୁତ୍ୱ ଦିଆଯିବ । ଚାଷୀଙ୍କଠୁ ଗାଈର ଗୋବର ଏବଂ ଗୋ ମୂତ୍ର କିଣାଯିବ । ଫଳରେ ଏହି କ୍ଷେତ୍ରରୁ ଆୟ ହେଲେ ସାଧାରଣ ଲୋକେ ଗୋ ପାଳନ ପ୍ରତି ଆଗ୍ରହ ପ୍ରକାଶ କରିବେ । ଗୋଶାଳାଗୁଡିକୁ ସ୍ୱାବଲମ୍ବୀ କରିବା ପାଇଁ ଠୋସ୍ ପଦକ୍ଷେପ ନିଆଯିବ । ଗାଈର ଗୋବରର ଉପଯୋଗ ବ୍ୟାପକ ଭାବେ ଗୋ କାଠ ତିଆରିରେ ବ୍ୟବହାର କରାଯିବ । ଏମିତି ହେଲେ ଗୋପାଳକଙ୍କ ଆୟ ମଧ୍ୟ ବଢିବ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସଡକରେ ବୁଲୁଥିବା ପଶୁଙ୍କ ବ୍ୟବସ୍ଥା ପାଇଁ ଗୃହ ଏବଂ କାରାଗାର ମନ୍ତ୍ରୀ ଡ. ନରୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କାମ କରିବ । ଗୋଶାଳାଙ୍କୁ କେମିତି ଆତ୍ମ ନିର୍ଭରଶୀଳ କରାଯିବ ସେହି ବିଷୟରେ ଅନେକ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।