fbpx

ଗୁଲଶନ କୁମାର ହତ୍ୟାକାଣ୍ଡ: ଦୋଷୀ ରଉଫ ମର୍ଚ୍ଚାଣ୍ଟର ଆଜୀବନ କାରାଦଣ୍ଡ ବଳବତ୍ତର, ମନ୍ଦିର ବାହାରେ ଟି-ସିରିଜର ପ୍ରତିଷ୍ଠାତାଙ୍କୁ କରିଥିଲା ହତ୍ୟା

ମୁମ୍ବଇ: ଟି ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାର ହତ୍ୟାକାଣ୍ଡ ମାମଲାରେ ବମ୍ବେ ହାଇକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି । ଉଚ୍ଚତମ ନ୍ୟ।ୟାଳୟ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କ ସାଥୀ ତଥା ଦୋଷୀ ରଉଫ ମର୍ଚ୍ଚାଣ୍ଟଙ୍କ ଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି । ରଉଫ ମାର୍ଚ୍ଚାଣ୍ଟଙ୍କୁ ସେସନ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଏହି ମାମଲାରେ ବମ୍ବେ ଉଚ୍ଚତମ ନ୍ୟ।ୟାଳୟ ଜଣାଶୁଣା ଫିଲ୍ମ ନିର୍ମାତା ରମେଶ ତୋରାନି ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଅବଦୁଲ ରଶିଦଙ୍କୁ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ପୂର୍ବରୁ ସେସନ କୋର୍ଟ ଅବଦୁଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ବିଚାରପତି ଯାଦବ ଓ ବୋରକରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ସଂପର୍କିତ ମୋଟ୍ ଚାରୋଟି ଆବେଦନ ବମ୍ବେ ଉଚ୍ଚତମ ନ୍ୟାୟାଳୟରେ ଦାଖଲ ହୋଇଥିଲା । ଏଥିରୁ ତିନୋଟି ଯାଚିକା ରଉଫ ମର୍ଚ୍ଚାଣ୍ଟ, ରାକେଶ ଚଞ୍ଚଲା ପିନ୍ନମ ଓ ରାକେଶ ଖାଓକରଙ୍କୁ ଦୋଷୀ ସାବ୍ୟସ୍ତ କରିବା ବିରୋଧରେ ଥିଲା ।

ସୂଚନାଯୋଗ୍ୟ, ୧୯୯୭ ଅଗଷ୍ଟ ୧୨ ତାରିଖରେ ମୁମ୍ବଇର ଅନ୍ଧେରୀ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଗୁଲଶନ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେହି ଦିନ ଗୁଲଶନ କୁମାର ସବୁ ଦିନ ପରି ପୂଜା ପାଇଁ ମନ୍ଦିର ଯାଇଥିଲେ । ମନ୍ଦିରରେ ପୂଜା କରି ବାହାରିବା ପରେ ଅଚାନକ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ ହୋଇଥିଲା । ଡ୍ରାଇଭର ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ନିଜେ ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଆକ୍ରମଣକାରୀ ଟି-ସିରିଜର ପ୍ରତିଷ୍ଠାତାଙ୍କ ଉପରକୁ ୧୬ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଗୁଲଶନଙ୍କ ମୃତ୍ୟୁ ଘଟିଥିଲା ।

ସଙ୍ଗୀତକାର ନଦୀମଙ୍କ ଇସାରାରେ ଗୁଲଶନଙ୍କ ହତ୍ୟା କରାଯାଇଥିବା ତଦନ୍ତରୁ ଜଣା ପଡିଥିଲା । ଏଥିପାଇଁ ନଦୀମ ଅଣ୍ଡରୱାର୍ଲଡ ଡନ ଅବୁ ସାଲେମଙ୍କ ସାହାଯ୍ୟ ନେଇଥିଲା । ସାଲେମ ଗୋଷ୍ଠୀର ଲୋକ ଏହି ହତ୍ୟାକାଣ୍ଡ ଭିଆଇଥିବା ତଦନ୍ତରୁ ଜଣା ପଡିଥିଲା ।

Get real time updates directly on you device, subscribe now.