ଭୁବନେଶ୍ୱର: ରାଜ୍ୟରେ ତିନିଦିନ ଧରି ଲାଗି ରହିଥିବା ଅଦିନିଆ ବର୍ଷା ଛାଡ଼ିବା ପରେ ଏବେ ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ବୃଦ୍ଧି ପାଇଛି । ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବିଶେଷକରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ମାଲକାନଗିରି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ତାତି ଜାରି ରହିବ । ଶନିବାରଠାରୁ ସାରା ରାଜ୍ୟରେ ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ଜାରି ରହିଛି । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବାୟୁମଣ୍ଡଳରେ ଶୁଷ୍କତା ପରିମାଣ ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ତାତି ବଢିଛି । ଏପରିକି ରାଜ୍ୟର ବହୁ ସହରରେ ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତିର ପ୍ରଭାବ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଭ୍ୟନ୍ତରୀଣ କିମ୍ବା ପଶ୍ଚିମ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପାରଦରେ ବୃଦ୍ଧି ଘଟିବ ।
ତେବେ ସୋମବାର ରାଜ୍ୟରେ ଏକ ପଶ୍ଚିମାଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଥିବାରୁ ୨୫ ଓ ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ସହ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସୂଚନା ମଧ୍ୟ ଦେଇଛି । ତେବେ ୨୭, ୨୮, ୨୯ ଓ ୩୦ ରେ ସାରା ରାଜ୍ୟରେ ଅସମ୍ଭାଳ ତାତି ନେଇ ପୂର୍ବାନୁମାନ କରାଯାଇଛି । ଅଦିନିଆ ବର୍ଷା ପୂର୍ବରୁ ମଧ୍ୟ ପାଣିପାଗ ବିଭାଗ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଥିଲା । ଏପରିକି ପାରଦ ସ୍ୱାଭାବିକଠାରୁ ୮ରୁ ୧୦ ଡିଗ୍ରୀ ବଢିବ ବୋଲି ଚେତାବନୀ ମଧ୍ୟ ଦେଇଥିଲା । ତେବେ ଅଦିନିଆ ବର୍ଷା ପାଇଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ରବିବାରଠାରୁ ତାତିର ପ୍ରଭାବ ବୃଦ୍ଧି ପାଇଛି । ଆଗକୁ ଏହା ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ।