ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭକୁ ଆଉ ୩ ଦିନ ସମୟ ବାକି ରହିଛି। ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ। ତେବେ ଭ୍ରମଣକାରୀ ଦଳର ଅନୁଭବୀ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବା ନେଇ ନିଜର ରାୟ ରଖିଛନ୍ତି। ସେ ଆଶା ରଖିଛନ୍ତି ଯେ କୌଣସି ସ୍ଥିତିରେ ବି ଭାରତ ମ୍ୟାଚ୍ ସିରିଜ୍ ଜିତିପାରେ। ପୂଜାରା ବିସିସିଆଇର ଓ୍ଵେବସାଇଟ୍ bcci.tv ସହ ଆଲୋଚନା ସମୟରେ ଏହି ବୟାନ ଦେଇଛନ୍ତି।
ପୂଜାରା ସାକ୍ଷାତକାର ସମୟରେ କହିଛନ୍ତି, ଆମେ ଜାଣିଛୁ ଯେ ଆମ ଦଳଠୁ ପ୍ରଶଂସକ କଣ ଆଶା ରଖିଛନ୍ତି। ସିରିଜ୍ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ। କଣ କରିବା ଉଚିତ୍ ଆମକୁ ବେଶ୍ ଭଲ ଭାବେ ଜଣା। ମୋତେ ଲାଗୁଛି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସିରିଜ୍ରେ ଭଲ ପ୍ରଦର୍ଶନ ଦଳର ଆତ୍ମ ବିଶ୍ଵାସକୁ ବଢାଇଛି ଯେ, ଆମେ ବିଦେଶରେ ବି ସିରିଜ୍ ଜିତିପାରିବୁ। ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତି ନାହିଁ।
୩୩ ବର୍ଷୀୟ ପୂଜାରାଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ସଂପ୍ରତି ଏହି ବ୍ୟାଟସମ୍ୟାନ ଖରାପ ଫର୍ମ ଦେଇଇ ସଂଘର୍ଷ କରୁଛନ୍ତି। ସେ ୨୦୧୯ରେ ଶେଷ ଥର ଶତକ ଅର୍ଜନ କରିଥିଲେ। ସେ ଦକ୍ଷିଣ ଆଫ୍ରିକାରେ ନିଜର ଫର୍ମ ଫେରି ପାଇବାକୁ ବ୍ୟାକୁଳ ଅଛନ୍ତି। ପୂଜାରା କହିଛନ୍ତି, ତାଙ୍କୁ ଦକ୍ଷିଣ ଆଫ୍ରିକା ମାଟିରେ ଖେଳିବାର ଅଭିଜ୍ଞତା ରହିଛି। ଆମର ଅଧିକାଂଶ ଖେଳାଳି ଦକ୍ଷିଣ ଆଫ୍ରିକାରେ ଖେଳି ସାରିଛନ୍ତି। ଏଥିପାଇଁ ଆମ ଦଳ ଅନୁଭବୀ ବୋଲି ପୂଜାରା କହିଛନ୍ତି।