ଆପଣ ଡିଜିଟାଲ ଷ୍ଟ୍ରେନ୍‌ର ଶିକାର ନୁହନ୍ତି ତ? ଜାଣନ୍ତୁ କେମିତି କରିବେ ଉପଚାର…

ଆଜିକାଲି ଡ଼ିଜିଟାଲ ଯୁଗ । ପ୍ରାୟ ଅଧିକାଂଶ କାମ ଅନଲାଇନ୍ ମାଧ୍ୟମରେ ହୋଇଯାଏ । କର୍ମଜୀବୀ ଲୋକମାନେ ପ୍ରାୟ ସମୟ କମ୍ପ୍ୟୁଟର, ଲାପ୍‌ଟପ୍‌, ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଣ ସାମ୍ନାରେ ବିତାଇଥାନ୍ତି । । ଏହା ପରେ ଅଫିସରୁ ଫେରିଲା ପରେ ମଧ୍ୟ ସେମାନେ ସ୍ମାର୍ଟ ଫୋନ ସହ ନିଜକୁ ବ୍ୟସ୍ତ ରଖିଥାନ୍ତି । କହିବାକୁ ଗଲେ ଆଜିକାଲି ସ୍ମାର୍ଟଫୋନ ଏବଂ ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଗୁଡ଼ିକ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ତେବେ ଅଧିକ ସମୟ ଏହି ସବୁ ବୈଦ୍ୟୁତିକ ଉପକରଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶେଷକରି ଆଖି । ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ । ଏହି ସବୁ ବୈଦ୍ୟୁତିକ ଉପକରଣରୁ ବାହାରୁଥିବା ‘ବ୍ଲୁ ଲାଇଟ୍‌’ ଆଖି ପାଇଁ କ୍ଷତିକାରକ । ଆଖିରେ ଶୁଷ୍କତା, ଖିଚ୍‌ଖିଚ୍‌, ଅସ୍ପଷ୍ଟ ଦେଖାଯିବା ଏବଂ ଆଖିରୁ ପାଣି ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ଏହା ଦ୍ୱାରା ‘ଡିଜିଟାଲ ଷ୍ଟ୍ରେନ୍‌’ ହୋଇଥାଏ । ଡିଜିଟାଲ ଷ୍ଟ୍ରେନ୍ ଅର୍ଥ ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, ଟିଭି, ଭିଡ଼ିଓ ଗେମ୍ ଆଦିର ବଦ୍‌ଅଭ୍ୟାସ । ଏହା ଆଖି ଉପରେ ଅଧିକ ଚାପ ପକାଇବା ସହ ଆଖିର ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭିଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ସବୁ ଲକ୍ଷଣ ସହ ଯଦି ଆପଣ ମୁଣ୍ଡ ବିନ୍ଧା ଏବଂ ବେକରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଭାବିବେ ଆପଣ ଡିଜିଟାଲ ଷ୍ଟ୍ରେନ୍‌ର ଶିକାରେ ହୋଇଛନ୍ତି । ଏହା ସତର୍କର ଘଣ୍ଟି । ତେବେ ନିମ୍ନଲିଖିତ କିଛି ଉପାୟ ଆପଣାଇବା ଦ୍ୱାରା ଆମେ ଆଖିକୁ ଡିଜିଟାଲ ଷ୍ଟ୍ରେନରୁ ରକ୍ଷା କରିପାରିବା ।

– ୨୦-୨୦-୨୦ର ନିୟମ: ପ୍ରତି ୨୦ ମିନିଟରେ ଅତି କମରେ ୨୦ ଫୁଟ୍ ଦୂରତାରେ ଥିବା କୌଣସି ଜିନିଷକୁ ୨୦ ସେକେଣ୍ଡ ପାଇଁ ଦେଖିବା । ଏହି ବ୍ରେକ୍ ଦ୍ୱାରା ଆଖିର ମାଂସପେଶୀଗୁଡ଼ିକୁ ଆରାମ ମିଳିଥାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥାଏ ।
– ସ୍କ୍ରିନ୍ ସେଟିଙ୍ଗସ୍ ଆଡ୍‌ଜଷ୍ଟ କରନ୍ତୁ: ଆମେ ବ୍ୟବହାର କରୁଥିବା କମ୍ପ୍ୟୁଟର, ମୋବାଇଲ ଭଳି ବୈଦ୍ୟୁତିକ ଉପକରଣର ସ୍କ୍ରିନ୍ ବ୍ରାଇଟନେସ ଏବଂ କଣ୍ଟ୍ରାଷ୍ଟ ସ୍ତରକୁ ନିଜ ହିସାବରେ କମାଇପାରିବା । ଆବଶ୍ୟକ ହେଲେ ନାଇଟ୍ ମୋଡ୍ ସେଟିଙ୍ଗ୍ ମଧ୍ୟ ରହିଛି ।

– ଆଖି ପତା ପକାଇବା: ବୈଦ୍ୟୁତିକ ଉପକରଣ ସାମ୍ନାରେ ବସିବା ସମୟରେ ନିୟମିତ ଭାବେ ଆଖିର ପତା ପକାଇବା ଉପରେ ଗୁରୁତ୍ୱ ଦେବା ଉଚିତ । କିଛି ସମୟ ଦୁଇ ପାପୁଲିର ଉଷ୍ମତା ଆଖିକୁ ଦେଇପାରିବା । ଏହା ଆଖିକୁ ଆରାମ ଦେଇଥାଏ ଓ ଶୁଷ୍କ ହେବାରୁ ରକ୍ଷା କରେ ।

– କାର୍ଯ୍ୟକ୍ଷେତ୍ରରେ ସୁଧାର: କାଯ୍ୟକ୍ଷେତ୍ରରେ ଥିବା ବେଳେ ବା ଅନ୍ୟ ସମୟରେ ଗୋଟିଏ ହାତ ଦୂରରେ କମ୍ପ୍ୟୁଟର ସ୍କ୍ରିନ୍ ସେଟ୍ କରି କାର୍ଯ୍ୟ କରନ୍ତୁ । ଏହା ଦ୍ୱାରା ଆଖି ଉପରେ ଅଧିକ ଚାପ ପଡ଼ିନଥାଏ ।

– ନୀଳ ରଶ୍ମୀରୁ ରକ୍ଷା: ବୈଦ୍ୟୁତିକ ଉପକରଣରୁ ବାହାରୁଥିବା ନୀଳ ରଶ୍ମୀ ଆଖି ପାଇଁ କ୍ଷତିକାରକ ଅଟେ । ଏହା ଆମ ନିଦ୍ରା ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ଆପଣ ବିଶେଷ ଚଷମା ବ୍ୟବହାର କରିପାରିବେ । ଶୋଇବାର ଅଧଘଣ୍ଟା ପୂର୍ବରୁ ବୈଦ୍ୟୁତିକ ଉପରକଣ ଠାରୁ ଦୂରେଇ ରହିବା ଉଚିତ ।

ତେବେ ଆଖିର ସୁରକ୍ଷା ପାଇଁ ଆପଣାନ୍ତୁ କିଛି ଟିପ୍ସ୍‌:

– ନିୟମିତ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଇ ଅଖିର ପୁରା ଯାଞ୍ଚ କରନ୍ତୁ । ଚକ୍ଷୁ ସମସ୍ୟା ବିଷୟରେ ଖୋଳିକି କଥା ହୁଅନ୍ତୁ ।

– ସବୁଜ ପନିପରିବା, ଡ୍ରାଏ ଫ୍ରୁଟ୍ସ୍ ଏବଂ ଓମେଗା-୩ ଫ୍ୟାଟି ଏସଡର ସେବନ କରନ୍ତୁ ।

– ନିଜକୁ ହାଇଡ୍ରେଟ ରଖନ୍ତୁ । ନିୟମିତ ଭାବେ ପାଣି କିମ୍ବା ଜୁସର ସେବନ କରିପାରନ୍ତି ।