fbpx

ଉତ୍ତର କୋରିଆରେ କାୟା ବିସ୍ତାର କଲା ଅଜଣା ରୋଗ, ଆଉ ୧୫ ଜଣଙ୍କ ମୃତ୍ୟୁ, ୮ ଲକ୍ଷରୁ ଅଧିକ ସଂକ୍ରମିତ

Advertisement

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରକୋପକୁ ରୋକିବା ପାଇଁ ସଂଘର୍ଷ କରୁଥିବା ଉତ୍ତର କୋରିଆରେ ରହସ୍ୟମୟ ଜ୍ଵରରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଜଣା ରୋଗରେ ଲକ୍ଷାଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏହାକୁ ମିଶାଇ ଦେଶରେ ଅଜଣା ରୋଗରେ ମୃତକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ଘଟିଛି।

ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସରୁ ନିଜକୁ ବଞ୍ଚାଇ ରଖିଥିବା ଦାବି କରୁଥିବା ଉତ୍ତର କୋରିଆ ଗୁରୁବାର ନିଜ ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛି। ହେଲେ ଏହି ସମୟରେ ସମଗ୍ର ଦେଶରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ହେଲେ ଏ ପର‌୍ୟ୍ୟନ୍ତ ଏହାର ଖୁଲାସା ହୋଇନାହିଁ ଯେ, ମୃତକଙ୍କ ମଧ୍ୟରେ କେତେ ଜଣ କୋଭିଡ୍-୧୯ ମାମଲା।

କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ, ଉତ୍ତର କୋରିଆରେ ବଡ ସଂଖ୍ୟାରେ କୋଭିଡ୍ ସନ୍ଦିଗ୍ଧଙ୍କ ପରୀକ୍ଷଣ ପାଇଁ ଆବଶ୍ୟକ କିଟର ଅଭାବ ରହିଛି। ରବିବାର ଦେଶରେ ଆଉ ୧୫ ଜଣଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଦେଶରେ ଫ୍ଲୁ ଲକ୍ଷଣ ଥିବା ୨,୯୬,୧୮୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରୋଗୀଙ୍କ ସଂଖ୍ୟା ବଢି ୮,୨୦,୬୨୦ରେ ପହଞ୍ଚିଛି।

ଏହି ରହସ୍ୟମୟୀ ରୋଗ ଉତ୍ତର କୋରିଆରେ ମାନବୀୟ ସଙ୍କଟ ସୃଷ୍ଟି କରିଛି। କାରଣ ଦେଶରେ ଅଧିକାଂଶ ଲୋକ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି। ଏଠାରେ ଦଶନ୍ଧି ଧରି ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର‌୍ୟ୍ୟସ୍ତ ହୋଇ ପଡିଛି। କିଛି ବିଶେଷଜ୍ଞଙ୍କ ମତରେ ଯଦି ଉତ୍ତର କୋରିଆକୁ ଅନ୍ୟ ଦେଶରୁ ଟିକା, ଔଷଧ ଏବଂ ଅନ୍ୟ ଚିକିତ୍ସା ଉପକରଣ ତୁରନ୍ତ ନମିଳେ ତେବେ ଦେଶରେ ବଡ ସଂଖ୍ୟାରେ ଲୋକ ମୃତ୍ୟୁ ମୁଖରେ ପଡି ପାରନ୍ତି।

ଉତ୍ତର କୋରିଆ ଗୁରୁବାର ଭାଇରସର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ କରିଛି। ଏଥିରେ ଦେଶର ଦୁର୍ବଳ ଅର୍ଥବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିବ। କାରଣ ନିକଟ ବର୍ଷରେ କରୋନା ମହାମାରୀ ଏବଂ ଲକଡାଉନ କାରଣରୁ କାରବାର ମାନ୍ଦା ପଡିଛି। ନିଜର ଆଣବିକ କାର‌୍ୟ୍ୟକ୍ରମ ପାଇଁ ଉତ୍ତର କୋରିଆ ଉପରେ ଅନେକ କଟକଣା ଲାଗିଛି। ଯାହାର ପରିଣାମ ଉତ୍ତର କୋରିଆକୁ ଭୋଗିବାକୁ ପଡୁଛି।

 

Get real time updates directly on you device, subscribe now.