fbpx

ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ସ୍ୱାମୀଙ୍କ ଦୂର ସମ୍ପର୍କୀୟଙ୍କ ବିରୋଧରେ ହୋଇପାରେ ମାମଲା: ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ପତ୍ନୀଙ୍କୁ ନିର୍ଯାତନା ଦେବା ମାମଲାରେ ଏବେ ସ୍ୱାମୀଙ୍କ ଦୂର ସମ୍ପର୍କୀୟଙ୍କ ଉପରେ ମଧ୍ୟ ମାମଲା ରୁଜୁ ହୋଇପାରେ । ନିକଟରେ ଏପରି ଏକ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିବାବେଳେ ଏଫଆଇଆର ଖାରଜ କରିବା ପାଇଁ କରାଯାଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ହାଇକୋର୍ଟ କହିଛନ୍ତି ଯେ, ପ୍ରାୟତଃ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସମୟରେ ଦୂର ସମ୍ପର୍କୀୟଙ୍କ ହସ୍ତକ୍ଷେପ ବହୁତ ଅଧିକ ହୋଇଥାଏ ଏବଂ ସେମାନେ ପତ୍ନୀଙ୍କୁ ହଇରାଣ କରନ୍ତି । ଏହି କାରଣରୁ ଏପରି ପରିସ୍ଥିତିରେ, ଆଇପିସିର ଧାରା ୪୯୮ଏ ଅନୁଯାୟୀ ସ୍ୱାମୀଙ୍କଠାରୁ ଦୂରରେ ରହୁଥିବା ସମ୍ପର୍କୀୟଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇପାରେ ।

ହାଇକୋର୍ଟର ବିଚାରପତି ସୁନୀଲ ଶୁକ୍ରେ ଏବଂ ଗୋବିନ୍ଦ ସାନପଙ୍କ ଏକ ବେଞ୍ଚ ଏକ ପରିବାର ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି । ଆବେଦନକାରୀ ନିଜ ବିରୋଧରେ ହୋଇଥିବାଏଫଆଇଆରକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ । ଏହି ଆବେଦନକୁ ରାଜ୍ୟ ସରକାର ଓ ପୀଡିତା ପତ୍ନୀଙ୍କ ଓକିଲ ଆପତ୍ତି କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଅଭିଯୁକ୍ତ ସ୍ୱାମୀ ଆକୋଲାରେ ରୁହନ୍ତି । ସ୍ୱାମୀଙ୍କ ସହ ପିତାମାତା କିମ୍ବା ଭାଇଭଉଣୀମାନେ ରୁହନ୍ତି ନାହିଁ । ଏପରି ପରିସ୍ଥିତିରେ ମହିଳାଙ୍କ ଶାଶୁଘର ଲୋକ ଓ ସମ୍ପର୍କୀୟଙ୍କ ଉପରେ ଦିଆଯାଇଥିବା ଅଭିଯୋଗ ଯଥାର୍ଥ ହୋଇପାରିବ ନାହିଁ ।

ଅନ୍ୟପଟରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟର ନାଗପୁର ବେଞ୍ଚ ଆବେଦନକାରୀଙ୍କ ଯୁକ୍ତି ଗ୍ରହଣ କରିବାକୁ ମନା କରିଦେଇଛି । ବେଞ୍ଚ କହିଛନ୍ତି ଯେ, ଦୂର ସମ୍ପର୍କୀୟମାନେ ସର୍ବଦା ନିର୍ଦ୍ଦୋଷ ବୋଲି ଆଇନରେ କୌଣସି ଅନୁମାନ ନାହିଁ, ଯେପର୍ଯ୍ୟନ୍ତ ସେମାନେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିନାହାଁନ୍ତି । ବହୁ ଦୂରରେ ରହୁଥିବା ସମ୍ପର୍କୀୟମାନେ ମଧ୍ୟ ବିବାହିତ ଦମ୍ପତିଙ୍କ କ୍ଷେତ୍ରରେ ସହଜରେ ହସ୍ତକ୍ଷେପ କରନ୍ତି । ବେଳେବେଳେ ହସ୍ତକ୍ଷେପ ଏତେ ବଢ଼ିଯାଏ ଯେ, ପତ୍ନୀଙ୍କୁ ନିର୍ଯ୍ୟାତନା ସହିବାକୁ ପଡ଼ିଥାଏ ।

ବେଞ୍ଚ ଆହୁରି କହିଛି ଯେ, ପୀଡିତା ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରକୃତ ଯାଞ୍ଚ କରାଯିବା ଉଚିତ । ଏହି ମାମଲାରେ ଆଇନଗତ ପ୍ରକ୍ରିୟା ଅଧୀନରେ ଥିବା ମାମଲାର ଶୁଣାଣି ସମୟରେ ଏହା ସମ୍ଭବ ହେବ । ଯଦିଓ ଅନ୍ୟ ଆବେଦନକାରୀମାନେ ଅଭିଯୁକ୍ତ ସ୍ୱାମୀ ଏବଂ ପୀଡିତା ମହିଳାଙ୍କ ସହ ନରୁହନ୍ତି, କିନ୍ତୁ ଏହା ପ୍ରମାଣିତ ହୁଏ ନାହିଁ କି ଶାଶୁଘର ମହିଳାଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗ କୌଣସି ଅପରାଧକୁ ପ୍ରମାଣ କରେ ନାହିଁ ।

Get real time updates directly on you device, subscribe now.