ବଢ଼ିଲା ଭଡ଼ା: ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଦେବାକୁ ପଡ଼ିବ ବର୍ଦ୍ଧିତ ଦର
ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା; ଜାଣନ୍ତୁ କିଏ କେତେ ଦେବେ..
ଭୁବନେଶ୍ଵର: ବର୍ତ୍ତମାନ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବଢୁଥିବା ତେଲ ଦର କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।
ତେବେ ଦୀର୍ଘ ୮ ବର୍ଷ ପରେ ଏହି ଭଡ଼ା ବୃଦ୍ଧି କରାଯାଇଥିବା କହିଛି ଅର୍ଥ ବିଭାଗ । ଏହା ସହ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏବେ ମାସକୁ ସର୍ବାଧିକ ୩୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨ ହଜାର ୫୨୦ ଟଙ୍କା ଏବଂ ୩୦୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ୪ ହଜାର ୨୦୦ଟଙ୍କା ଦେଉଥିବାବେଳେ, ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୦୦ ରୁ ଉର୍ଦ୍ଧ୍ବ କିଲୋମିଟର ଗଲେ ୩ ହଜାର ୭୮୦ ଟଙ୍କା ଏବଂ ୩୦୦ ରୁ ୫୦୦କିଲୋମିଟର ପର୍ଯ୍ୟନ୍ତ ଗଲେ ୬ ହଜାର ୩୦୦ଟଙ୍କା ଦେବାକୁ ପଡ଼ିବ ।
ତେବେ ଭୁବନେଶ୍ୱରରୁ କଟକ କିମ୍ବା କଟକରୁ ଭୁବନେଶ୍ୱର ଅଫିସ୍ କାମ ପାଇଁ ଯାଆସ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । ସେହିପରି ଦୁଇଜଣ ଅଫିସର ଯଦି ଗୋଟିଏ ଗାଡିରେ ଯାତାୟତ କରନ୍ତି ତେବେ ୬ହଜାର ଟଙ୍କା ଭଡ଼ାକୁ ଉଭୟଙ୍କଠୁ ସମାନ ଭାଗରେ ଆଦାୟ କରାଯିବ ।
ଜାରି ବିଜ୍ଞପ୍ତି ଅନୁସାରେ, ସରକାରୀ ଗାଡ଼ି ଉପଯୋଗ କରୁଥିବା ବିଭିନ୍ନ ବର୍ଗର ଅଫିସରଙ୍କ ନିମନ୍ତେ ଧାର୍ଯ୍ୟ ଭଡ଼ାକୁ ମଧ୍ୟ ସଂଶୋଧନ କରାଯାଇଛି । ସଚିବ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଆରଡିସି ମାନେ ଏବେ ମାସିକ ୧୬୮୦ଟଙ୍କା ବଦଳରେ ୨୫୨୦ଟଙ୍କା ଦେବେ । ସେହିପରି ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ମିଳିତ ଭାବେ ଗାଡ଼ି ଉପଯୋଗ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି ।
ସେହିପରି, ସରକାରୀ ଗାଡ଼ି ପାଇଥିବା ଅନ୍ୟ ଅଫିସରଙ୍କୁ ମାସିକ ୧୪୦୦ଟଙ୍କା ପରିବର୍ତ୍ତେ ୨୧୦୦ଟଙ୍କା ଏବଂ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏସପି ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଭଡ଼ା ଦେବେ ।