ଟୋକିଓ -୨୦୨୦ରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହି ଯାଇଥିଲା । ଏପରିକି ପ୍ରଥମ ଥର ପାଇଁ ଭାରତୀୟ ଦଳର ପରାଜୟ ସମଗ୍ର ଦେଶକୁ ଭାବୁକ କରି ଦେଇଥିଲେ । ଏହି ଭାରତୀୟ ଦଳରେ ଏକାଧିକ ଖେଳାଳି ସମସ୍ତଙ୍କୁ ପ୍ରଭାବିତ କରିବାରେ ବେଶ ସଫଳ ହୋଇଛନ୍ତି । ପ୍ରଥମ ମହିଳା ଖେଳାଳି ଭାବରେ ହ୍ୟାଟ୍ରିକ ଅର୍ଜନ କରି ବନ୍ଦନା କଟାରିୟା ଇତିହାସ ବକ୍ଷରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ଅନୁଭବୀ ରାଣୀ ରାମପାଲ ଓ ଭାରତୀୟ ହକିର ଦ ୱାଲ ମାନ୍ୟତା ପାଇଥିବା ସବିତା ପୁନିଆ ମଧ୍ୟ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହା ବ୍ୟତିତ ଲାଲରେମ ସିଆମି ଏବଂ ସଲିମା ଟେଟେଙ୍କ ପରି ଯୁବ ଖେଳାଳି ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଭାରତୀୟ ହକି ଦଳର ଏହି ସଫଳତା ପାଇଁ ଗୋଟିଏ ଦିନର ପ୍ରଦର୍ଶନ ନୁହେଁ ବରଂ ବିଗତ କିଛି ବର୍ଷର ପରିଶ୍ରମ ଦାୟୀ । ତେବେ ଆଜି ଆମେ ବର୍ତ୍ତମାନ ଦଳରେ ଉପସ୍ଥିତ ରହିଥିବା ଏହି ୧୫ ସୁପରଗାର୍ଲଙ୍କ ସମ୍ବନ୍ଧରେ ଆଲୋଚନା କରିବା ।
ସବିତା ପୁନିଆ: ହରିୟାଣାରୁ ଏକ ନିମ୍ନ ମଧ୍ୟବିତ ପରିବାରରୁ ଆସନ୍ତି ସବିତା ପୁନିଆ । ନିଜ ଜେଜେବାପାଙ୍କ ପ୍ରେରଣାରେ ହକି ଖେଳିବା ଆରମ୍ଭ କରିଥିବା ସବିତାଙ୍କୁ ଭାରତୀୟ ହକି ଦଳର ୱାଲ ଭାବରେ ବିବେଚନା କରାଯାଉଛି । ୩୧ ବର୍ଷୀୟ ସବିତାଙ୍କ ଗୋଲକିପିଂ ଆସନ୍ତା ପିଢିର ଖେଳାଳିଙ୍କୁ ସର୍ବଦା ଅନୁପ୍ରାଣିତ କରିବ । ୨୦୦୭ରେ ପ୍ରଥମ ଥର ଜାତୀୟ କ୍ୟାମ୍ପରେ ଯୋଗ ଦେଇଥିବା ସବିତା ୨୦୧୧ରେ ନିଜର ଅନ୍ତର୍ଜାତୀୟ ପଦାର୍ପଣ କରନ୍ତି । ୨୦୧୪ ଇଞ୍ଚିଅନ୍ ବ୍ରୋଞ୍ଜ ବିଜୟରେ ସବିତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବା ବେଳେ ୨୦୧୭ ଏସିଆ କପରେ ସବିତାଙ୍କୁ ଗୋଲ କିପର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା ।
ଦୀପଗ୍ରେସ ଏକ୍କା: ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ସହିତ ହକିର ପୁରୁଣା ସମ୍ପର୍କ । ପୂର୍ବରୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି କରିଥିବା ଏହି ସ୍ଥାନରୁ ଆସିଛନ୍ତି ଦୀପଗ୍ରେସ ଏକ୍କା । ପୁରୁଷବାଦ ସମାଜର ସମାଲୋଚନାକୁ ପଛରେ ପକାଇ ହକି ଖେଳିଥିବା ଦୀପଗ୍ରେସ ମାତ୍ର ୧୬ ବର୍ଷ ବୟସରେ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୧୪ ଏସିଆନ ବ୍ରୋଞ୍ଜ ପଦକ ଦଳର ସଦସ୍ୟ ରହିଥିଲେ ଦୀପଗ୍ରେସ ଏକ୍କା । ଏହା ସହିତ ଦୀପଗ୍ରେସ ଭାରତର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ଅଟନ୍ତି ।
ନିକ୍କି ପ୍ରଧାନ: ଝାରଖଣ୍ଡରୁ ଆସୁଥିବା ନିକ୍କି ପ୍ରଧାନ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ । ପ୍ରାରମ୍ଭରୁ ଉଭୟ ଆଥଲେଟିକ୍ସ ଓ ହକି ଖେଳୁଥିବା ନିକ୍କିଙ୍କୁ ନେଇ ଉଭୟ କୋଚଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ୧୨ ବର୍ଷ ବୟସର ହୋଇଥିବା ବେଳେ ଝାରଖଣ୍ଡର ଅନ୍ୟ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଉଥିବା ଦେଖି ହକି ପ୍ରତି ଆକର୍ଷିତ ହୋଇଥିଲେ ନିକ୍କି । ବିମାନରେ ବସିବାର ସ୍ୱପ୍ନ ନେଇ ହକି ଖେଳିବା ଆରମ୍ଭ କରିଥିବା ଏହି ଝିଅ ଜଣକ ଆଜି ପ୍ରତି ଭାରତୀୟଙ୍କ ହୃଦୟରେ ବସିଛି ।
ଗୁରଜିତ କୌର: ଭାରତ ପକ୍ଷରୁ ଟୁର୍ଣ୍ଣାମେଣ୍ଟରେ ୪ଟି ଗୋଲ ସ୍କୋର କରିଥିଲେ ଗୁରଜିତ । କିଛି ଖେଳାଳି କେବଳ ବଡ ମ୍ୟୃାଚ ପାଇଁ ଜନ୍ମ ନେଇଥାନ୍ତି ସମାନ ଢଙ୍ଗରେ ଗୁରଜିତଙ୍କ ସମସ୍ତ ଗୋଲ ନକଆଉଟ ପର୍ଯ୍ୟାୟରେ ହିଁ ଆସିଥିଲା । ଏପରିକି ବ୍ରୋଞ୍ଜ ପଦକ ମୁକାବିଲାରେ ଗୁରଜିତ ୨ଟି ଗୋଲ ସ୍କୋର କରିଥିଲେ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡ୍ରାଗଫ୍ଲିକର ଗୁରଜିତ କିନ୍ତୁ ପ୍ରାରମ୍ଭରୁ ହକି ଖେଳାଳି ନଥିଲେ । କାଏରୋରେ ପଢିବା ସମୟରେ ହକି ପ୍ରତି ଆକର୍ଷିତ ହେବା ସହିତ ୨୦୧୭ରେ ମାତ୍ର ୨୧ ବର୍ଷରେ ଭାରତୀୟ ଦଳରେ ସାମିଲ ହୋଇଥିଲେ ଗୁରଜିତ ।
ଉଦିତା: ହିସାରର ପୋଲିସ ଅଫିସରଙ୍କ ଝିଅ ଉଦିତା ନିଜ ପିତାଙ୍କୁ ପ୍ରେରଣା ଭାବରେ ନେଇ ହକି ଖେଳକୁ ବାଛିଥିଲେ । ପିତା ଜଣେ ହ୍ୟାଣ୍ଡ ବଲ ଖେଳାଳି ରହିଥିବା ବେଳେ ଉଦିତାଙ୍କୁ ମଧ୍ୟ ହ୍ୟାଣ୍ଡବଲ ଖେଳ ପାଇଁ ଏକାଡେମୀରେ ଭର୍ତ୍ତି କରାଯାଇଥିଲା । ତେବେ ଥରେ ୩ ଦିନ ପାଇଁ କୋଚ ନ ଆସିବାରୁ ହକି ଖେଳିଥିଲେ ଉଦିତା । ଏହାପରେ ଆଉ ପଛକୁ ଫେରିନଥିଲେ ଉଦିତା । ଜୁନିୟର ସ୍ତରରେ ପିତାଙ୍କ ବିୟୋଗ ପରେ ମାଙ୍କ ପ୍ରେରଣାରେ ହକିରେ ଆଗକୁ ବଢିଥିଲେ ଉଦିତା ।
ନେହା ଗୋୟଲ: ହରିୟାଣାର ସୋନୀପତରୁ ଆସିଛନ୍ତି ନେହା ଗୋୟଲ । ନେହାଙ୍କ ଘର ଏକ ଛୋଟ ନାଳ ପାଖରେ ଅବସ୍ଥିତ, ଘରଟି ଏତେ ଛୋଟ କି ଏହା ଆରମ୍ଭରୁ ହିଁ ଶେଷ ହୋଇଯାଇଛି । ମଦ୍ୟପ ପିତାଙ୍କ ନିର୍ଯାତନାରେ ଅତିଷ୍ଠ ନେହାଙ୍କ ମା ପର ଘରେ ମଜୁରୀ ଲାଗି ଛୁଆଙ୍କୁ ମଣିଷ କରିଥିଲେ । ଏହି ସମୟରେ ଜଣେ ସାଙ୍ଗ ଠାରୁ ପ୍ରୀତମ ସିୱାସଙ୍କ ହକି ଏକାଡେମୀ ସମ୍ପର୍କରେ ନେହାଙ୍କୁ ଜଣାପଡିଥିଲା । ଏହିଠାରୁ ହିଁ ନେହାଙ୍କ ଭାଗ୍ୟ ବଦଳି ଯାଇଥିଲା । ୧୧ ବର୍ଷୀୟ ନେହାଙ୍କୁ ଦୁଇ ସମୟର ଖାଇବା ଦେଇ ନେହାଙ୍କୁ ହକି ଖେଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ ପ୍ରୀତମ । ୧୮ ବର୍ଷରେ ଏହି ମିଡଫିଲ୍ଡରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ନେହା ଭାରତ ପକ୍ଷରୁ ବିଜୟ ସୂଚକ ଗୋଲ ସ୍କୋର କରିଥିଲେ ।
ନିଶା ୱାରସୀ: ନେହା ଗୋୟଲଙ୍କ କାହାଣୀରେ ଯେଉଁ ବାନ୍ଧବୀ ଜଣଙ୍କ ପ୍ରୀତମଙ୍କ ଏକାଡେମୀ ସମ୍ପର୍କରେ ଜଣାଇଥିଲେ ସେ ହେଉଛନ୍ତି ନିଶା ୱାରସୀ । ପିତା ଟେଲର କାମ କରୁଥିବା ବେଳେ ପିତାଙ୍କ ପକ୍ଷାଘାତ ପରେ ନେହାଙ୍କ ହକି ଖେଳକୁ ନେଇ ଆଶଙ୍କା ଦେଖା ଦେଇଥିଲା । ତେବେ ନିଜ ଅଧ୍ୟବସାୟ ବଳରେ ନିଜ ଖେଳକୁ ଆଗକୁ ବଢାଇବା ସହିତ ରେଲୱେରେ ଚାକିରି କରିଥିଲେ ଏବଂ ୨୦୧୮ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ । ନେହାଙ୍କ ପରି ନିଶା ମଧ୍ୟ ଜଣେ ମିଡଫିଲ୍ଡର ଭାବରେ ଖେଳିଥାନ୍ତି ।
ମୋନିକା ମଳ୍ଲିକ: ପିତା ଚଣ୍ଡୀଗଡ ପୋଲିସରେ ରହିଥିବା ବେଳେ ସେ ଚାହୁଁଥିଲେ ମୋନିକା କୁସ୍ତି କରନ୍ତୁ । ମାତ୍ର ହକି ପ୍ରତି ଥିବା ଆକର୍ଷଣ ଆଗରେ ହାର ମାନିଥିଲା ପିତାଙ୍କ ଜିଦ୍ । ମୋନିକା ବର୍ତ୍ତମାନର ଦଳରେ ଅନ୍ୟତମ ଶ୍ରେଷ୍ଠ ମିଡଫିଲ୍ଡରଙ୍କ ମଧ୍ୟରେ ଅନ୍ୟତମ ।]
ସଲିମା ଟେଟେ: ଝାଡଖଣ୍ଡ ପରି ଏକ ଛୋଟିଆ ରାଜ୍ୟରୁ ଆସିଥିବା ସଲିମା ନିଜ ତୀବ୍ର ଗତି ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଲିମାଙ୍କ ପ୍ରଶଂସା କରିଥିଲେ । ବାଉଁଶ ପାତିଆର ହକିଷ୍ଟିକରୁ ଖେଳ ଆରମ୍ଭ କରିଥିବା ସଲିମାଙ୍କ ଯାତ୍ରା ଯୁବପିଢିକୁ ବେଶ ପ୍ରଭାବିତ କରିଛି । ସଲିମାଙ୍କ ଘର ଓ ପରିବାରକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।
ସୁଶୀଳା ଚାନୁ: ଦଳର ଅନ୍ୟତମ ବରିଷ୍ଠ ଖେଳାଳି ସୁଶୀଳା ଚାନୁ ମଧ୍ୟ ଦଳର ଉତ୍ଥାନରେ ବେଶ ଭୂମିକା ନିର୍ବାହ କରିଛନ୍ତି । ରିଓ ୨୦୧୬ରେ ଦଳର ଅଧିନାୟିକା ରହିଥିବା ଚାନୁ ୧୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି । ଦାରିଦ୍ର୍ୟତାକୁ ଅତି ପାଖରୁ ଦେଖିଥିବା ଚାନୁ ବର୍ତ୍ତମାନ ରେଲୱେଜରେ ଚାକିରି କରୁଛନ୍ତି ।
ନଭଜୋତ କୌର: ମେକାନିକ ପରିବାରରୁ ଆସିଥିବା ନଭଜୋତଙ୍କର ଏହା ଦ୍ୱିତୀୟ ଅଲିମ୍ପିକ୍ସ । ୨୦୦୩ରୁ ହକି ଖେଳିବା ଆରମ୍ଭ କରିଥିବା ନଭଜୋତ ୨୦୧୨ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୧୬ ରିଓ ବିଫଳତାକୁ ଭୁଲି ଟୋକିଓରେ ଇତିହାସ ରଚିବାରେ ନଭଜୋତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।
ରାଣୀ ରାମପାଲ: ଭାରତୀୟ ଦଳର ଅଧିନାୟିକା ରହିଥିବା ରାଣୀ ରାମପାଲଙ୍କ କାହାଣୀ ମଧ୍ୟ ଅନ୍ୟ ଖେଳାଳିଙ୍କ ପରି ବେଶ ସଂଘର୍ଷମୟ । କୁରୁକ୍ଷେତ୍ରର ଶାହବାଦରେ ଜନ୍ମିତ ରାଣୀ ଅନ୍ୟ ଘରେ କାମ କରୁଥିଲେ । ମାତ୍ର ୬ ବର୍ଷ ବୟସରେ ବଳଦେବ ସିଂଙ୍କ ନଜରକୁ ଆସନ୍ତି ରାଣୀ । ବଳଦେବ ସିଂଙ୍କ ଏକାଡେମୀରେ ପିଲାଙ୍କ ଭଙ୍ଗା ଷ୍ଟିକରୁ ଖେଳିବା ଆରମ୍ଭ କରିଥିଲେ ରାଣୀ । ଏହା ପରେ ବଲଦେବ ରାଣୀଙ୍କ ରହିବା ଖାଇବାର ସମସ୍ତ ଦାୟିତ୍ୱ ନେଇଥିଲେ । ବଲଦେବଙ୍କ ସହାୟତାରେ ମାତ୍ର ୧୪ ବର୍ଷ ବୟସରେ ଭାରତୀୟ ଦଳରେ ସାମିଲ ହୋଇଥିଲେ ରାଣୀ । ୨୦୧୦ ବିଶ୍ୱକପରେ ୧୫ ବର୍ଷୀୟ ରାଣୀ ଭାରତର ସର୍ବକନିଷ୍ଠ ଖେଳାଳି ରହିଥିଲେ । ଏହା ସହିତ ଭାରତୀୟ ଦଳକୁ ଅଲିମ୍ପିକ ସେମିରେ ପହଞ୍ଚାଇବାର କୃତିତ୍ୱ ହାସଲ କରିଛନ୍ତି ରାଣୀ ।
ଲାଲରେମ ସିଆମୀ: ମିଜୋରାମର ଝିଅ ଲାଲରେମ ସିଆମୀ ମାତ୍ର ୨୧ବର୍ଷର ପ୍ରଥମ ଭାରତୀୟ ମହିଳା ଯେକି ଏଫ୍ଆଇଏଚ୍ ରାଇଜିଂ ଷ୍ଟାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏକ ଆର୍ଥିକ ଅନାଟନ ପରିବାରରେ ତାଙ୍କ ପିତା ଚାଷ କାମ କରି ପରିବାର ପୋଷୁଥିଲେ। ହେଲେ ଘଟଣାକ୍ରମେ ଅନେକ ବାଧାବିଘ୍ନ ସହି ସେ ଆଗକୁ ଯାଇଛନ୍ତି। କେବଳ ବିଶ୍ବକପ୍ ନୁହେଁ ବରଂ ଜାକର୍ତା ଏସିଆ ଖେଳରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଖେଳ ଲାଗି ସେ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ବନ୍ଦନା କଟାରିଆ: ଭାରତୀୟ ମହିଳା ହକି ଟିମ୍ର ଷ୍ଟ୍ରାଇକର ବନ୍ଦନାଙ୍କ ଯାତ୍ରା ମଧ୍ୟ ବେଶ୍ ଦୁଃଖଦାୟକ। ହକି ଖେଳୁଥ୍ଖବା ଯୋଗୁଁ ସେ ଅନେକ ସମୟରେ ସମାଲୋଚନର ଶୀକାର ହୋଇଥ୍ଖଲେ । ହେଲେ ଏହି ସମାଲୋଚନା ତାଙ୍କ ଯାତ୍ରାରେ କିଛି ବି ଫରକ୍ ପକାଇନଥିଲା। ବରଂ ତାଙ୍କର ଘୃଣାକାରୀଙ୍କୁ ସେ ପ୍ରମାଣ କରି ଦେଖାଇଦେଇଥିଲେ ଯେ, କିପରି ଜଣେ ମହିଳା ନିଜର ଲକ୍ଷ୍ୟ ଓ ଧର୍ୟ୍ୟକୁ ନେଇ ଆଗକୁ ବଢ଼ିପାରନ୍ତି। ଉତ୍ତରାଖଣ୍ଡ ରୋଶନାବାଦ ଗ୍ରାମରେ ହକି ଖେଳରୁ ଦୁରେଇ ଯିବା ବନ୍ଦନାଙ୍କୁ ଗାଳି ଗୁଲଜ ମିଳିଥ୍ଖବା ବେଳେ ସେତେବେଳେ ତାଙ୍କ ପିତା ତାଙ୍କୁ ପୂର୍ଣ୍ଣମାତ୍ରାରେ ସାହସ ଯୋଗାଇ ଦେଇଥିଲେ। ହେଲେ ଟୋକିଓ ଅଲମ୍ପିକର ତିନି ମାସ ପୂର୍ବରୁ ତାଙ୍କ ପିତା ମୃତ୍ୟୁବରଣ କରିଥିଲେ। ହେଲେ ତାଲିମ ଯୋଗୁଁ ଘରକୁ ଯିବା ତାଙ୍କ ପାଇଁ ସହଜ ନଥିଲା। ଅଲମ୍ପିକ୍ ହକି ମ୍ୟାଚ୍ରେ ହ୍ୟାଟ୍ରିକ୍ କରିବା ବନ୍ଦନାଙ୍କ ଲକ୍ଷ୍ୟ ଥ୍ଖଲା। ୩୧ ଜୁଲାଇ ୨୦୨୧ରେ ଅଲମ୍ପିକ ହ୍ୟାଟ୍ରିକ୍ ସ୍କୋର କରିଥିବା ଭାରତୀୟ ପ୍ରଥମ ମହିଳା। ଦୀର୍ଘ ଦେଢ଼ବର୍ଷ ପରେ ଘରକୁ ଫେରିଥ୍ଖବା ବନ୍ଦନା ମାଙ୍କୁ ଆଲିଙ୍ଗନ କରି ଦୀର୍ଘ ସମୟ ଯାଏଁ କାନ୍ଦିଥ୍ଖଲେ। ତେବେ ମେଡାଲୁ ନେଇ ବନ୍ଦନା କୁହନ୍ତି ଯେ, ଆମେ ମାନେ ମେଡାଲର ବହୁତ ନିକଟରେ ଥ୍ଖଲୁ। ଜିତିପାରିନଥ୍ଖଲୁ। ତଥାପି ଆମେ ଭାରତୀୟଙ୍କ ହୃଦୟକୁ ଜିତିପାରିଛୁ। ଆଗାମୀ ଦିନରେ ଭାରତୀୟ ଟିମ୍ ନିଶ୍ଚିତ ରୂପେ ସ୍ବର୍ଣ୍ଣ ପଦକ ଜିତିପାରିବ। ଭାରତ ଲାଗି ସବୁଠୁ ଅଧ୍ଖକ ଗୋଲ ଆଣିଥ୍ଖଲେ ବନ୍ଦନା। ୨୦୧୩ରେ ଦେଶରେ ସବୁଠୁ ଅଧ୍ଖକ ଗୋଲ କରିବାରେ ସେ ସଫଳତା ହାସଲ କରିଥ୍ଖଲେ। ଜୁନିୟର ମହିଳା ବିଶ୍ବ କପ୍ରେ କାଂସ୍ୟପଦକ ଜିତିଥ୍ଖଲେ।
ଶର୍ମିଳା ଦେବୀ: ଏହି ଅନୁଭବୀ ଖେଳାଳିଙ୍କ ମଧ୍ୟରେ ଯୁବ ଖେଳାଳି ଶର୍ମିଳା ଦେବୀ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ । ହରିୟାଣାର ହିସାରରୁ ଆସିଥିବା ଶର୍ମିଳାଙ୍କ ନିର୍ଭୀକ ଖେଳକୁ ବେଶ ପ୍ରଶଂସା କରିଛନ୍ତି କୋଚ ଶୋର୍ଡ ମାରିନ୍ । ଏହି ଖେଳାଳି ମାତ୍ର ୯ ମ୍ୟାଚର ଅଭିଜ୍ଞତା ସହିତ ଟୋକିଓ ଯାତ୍ରା କରିଥିଲେ ।