fbpx

Jio-Airtel-Vi ରିଚାର୍ଜ ପ୍ଲାନରେ ଆଉ ମିଳିବ ନାହିଁ ଫ୍ରି ଏସଏମଏସ୍

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । କମ୍ ମୂଲ୍ୟର ପ୍ରିପେଡ୍ ରିଚାର୍ଜ କଲେ ଏଣିକି ଏସଏମଏସ ସୁବିଧା ମିଳିବ ନାହିଁ ବୋଲି ଦେଶର ବଡ଼ ବଡ଼ ଟେଲିକମ୍ କମ୍ପାନୀମାନେ ନିଷ୍ପତ୍ତି ନେଇଛନ୍ତି । ଜିଓ, ଏୟାରଟେଲ ଓ ଭୋଡ଼ାଫୋନ ଆଇଡିଆ ଏଥିରେ ସାମିଲ ରହିଛନ୍ତି । ୧୦୦ ଟଙ୍କାରୁ କମ୍ ରିଚାର୍ଜ କଲେ ଏଣିକି ପ୍ରିପେଡ୍ ପ୍ଲାନର ଗ୍ରାହକଙ୍କ ପାଇଁ ଏସଏମଏସ ସୁବିଧା ଉପଲବ୍ଧ ହେବ ନାହିଁ ।

ସ୍ୱଳ୍ପ ମୂଲ୍ୟର ପ୍ରିପେଡ୍ ପ୍ଲାନରେ ଏହି ନିୟମ ଲାଗୁ ହେବା ପୂର୍ବରୁ ଗ୍ରାହକଙ୍କୁ କଲିଂ, ଏସଏମଏସ୍ ଓ ଡାଟା ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏସଏମଏସର ଫାଇଦା ଗ୍ରାହକମାନେ ଏଣିକି ପାଇବାରୁ ବଞ୍ଚିତ ହେବେ । ଏହି ୩ଟି କମ୍ପାନୀ ପକ୍ଷରୁ ୧୦୦ ଟଙ୍କାରୁ କମ୍ ପ୍ଲାନଗୁଡ଼ିକରେ ଏସଏମଏସର ସୁବିଧା ପ୍ରଦାନ କରାଯାଉନାହିଁ । ଜିଓ ଓ ଏୟାରଟେଲ ୧୦୦ ଟଙ୍କାରୁ କମ୍ ମୂଲ୍ୟ ବିଶିଷ୍ଟ ଅଳ୍ପସଂଖ୍ୟକ ପ୍ଲାନ୍ ଅଫର କରିଥାନ୍ତି । ଭୋଡ଼ାଫୋନ ଆଇଡିଆ ନିଜର ପ୍ରିପେଡ ଗ୍ରାହକଙ୍କୁ ୯୫ ଟଙ୍କାରେ ୫୬ ଦିନ ଭାଲିଡିଟି, ୭୪ ଟଙ୍କାର ଟକଟାଇମ୍ ଓ ୨୦୦ ଏମବି ଡାଟା ପ୍ରଦାନ କରୁଥିବା ବେଳେ ଏସଏମଏସ ଦେଉନାହିଁ । ସେହିପରି ୪୯ ଟଙ୍କିଆ ପ୍ଲାନରେ ୧୦୦ ଏମବି ଡାଟା, ୩୮ ଟଙ୍କାର ଟକଟାଇମ୍, ୨୮ ଦିନ ଭାଲିଡିଟି ରହିଥିବା ବେଳେ ଏସଏମଏସ ଦେଉନାହିଁ । ଏହି ଲିଷ୍ଟରେ ୭୯, ୬୫, ୫୯ ଓ ୩୯ ଟଙ୍କିଆ ବିଶିଷ୍ଟ ଅନେକ ପ୍ଲାନ୍ ସାମିଲ ରହିଛି ।

ସେହିପରି ଏୟାରଟେଲ ନିଜର ୪୯ ଟଙ୍କିଆ ଶସ୍ତା ପ୍ରିପେଡ୍ ପ୍ଲାନ ବନ୍ଦ କରିଦେଇଥିବା ବେଳେ ଗ୍ରାହକଙ୍କ ପାଖରେ ୭୯ ଟଙ୍କିଆ ବିକଳ୍ପ ରହିଛି । କମ୍ପାନୀ ୭୯ ଟଙ୍କିଆ ପ୍ଲାନରେ ୬୪ ଟଙ୍କା ଟକଟାଇମ୍, ୨୦୦ ଏମବି ଡାଟା ୨୮ ଦିନ ପାଇଁ ଯୋଗାଇ ଦେଉଥିବା ବେଳେ ଏଥିରେ ଏସଏମଏସ୍ ଦେଉ ନାହିଁ ।

ସେହିପରି ଜିଓ ୯୮ ଟଙ୍କିଆ ପ୍ଲାନରେ ୧୪ ଦିନରେ ୧.୫ ଜିବି ଡାଟା, ଅସୀମିତ କଲିଂ, ଜିଓ ଆପ୍ ଫ୍ରି ସବସ୍କ୍ରିପସନ ଦେଉଥିବା ବେଳେ ଏସଏମଏସ୍ ସୁବିଧା ଦେଉନାହିଁ । ସର୍ବପ୍ରଥମେ ଚଳିତ ବର୍ଷ ଜିଓ ଏହି କଦମ ଉଠାଇଥିବା ବେଳେ ପରେ ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ ଏହାକୁ ଆପଣାଇଥିଲେ ।

Get real time updates directly on you device, subscribe now.