ଭଦ୍ରକ: କଳାକାହ୍ନୁ ହେଉଛି ମୋ ପୁଅ, ମୋ ରଙ୍କୁଣିଧନ, ମୋ ବିଶିକେଶନ, ତା’ ବିନା ମୁଁ ଗୋଟେ ମୁହୂର୍ତ୍ତ ବି ବଞ୍ଚିପାରିବି ନାହିଁ । ଏ ହେଉଛି ଜଣେ ମାଆର ତା ପୁଅ ପ୍ରତି ଥିବା ଅନାବିଳ ସ୍ନେହ ଆଉ ମମତା । ଏ ହେଉଛି ଭଗବାନଙ୍କ ପ୍ରତି ଜଣେ ଭକ୍ତର ଭାବନା । ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଏମିତି ଭଲପାଇବା ଓ ସ୍ନେହ ଦେଇ ପୂଜା କରି ନିଜ ଜନ୍ମିତ ସନ୍ତାନ ପରି ସେହ୍ନ ମମତା ଦେଉଥିବା ମହିଳା ଜଣକ ହେଉଛନ୍ତି କଳିଯୁଗର ଯଶୋଦା, କବିତା ମାଆ ।
ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ନେଇ ମାତା ଯଶୋଦାଙ୍କ ଦ୍ୱାରା ଲାଳନ ପାଳନ ହୋଇଥିଲେ । ମାତ୍ର ଆଜିର ଏ କଳିଯୁଗ ଯୋଶଦା ମାଆର କାହାଣୀ ଟିକେ ନିଆରା । ତାଙ୍କ କାହାଣୀ ଯେକେହି ବି ଶୁଣିବ ତା ଆଖିରେ ଲୁହ ଆସିଯିବ । କଳିଯୁଗର ଏ ଯଶୋଦା ମାଆ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ଗ୍ରାମର କବିତା ମାଆ ।
କବିତା ପିଲାବେଳରୁ ହିଁ ଆଧ୍ୟାତ୍ମିକ ତଥା ଭକ୍ତି ମାର୍ଗରେ ବିଶ୍ୱାସ ରଖି କୃଷ୍ଣ ପ୍ରେମରେ ମଗ୍ନ ରୁହନ୍ତି । ତେବେ ୨୮ ବର୍ଷ ତଳେ ସେ ଦେଳଗୋବିନ୍ଦଙ୍କୁ ବିବାହ କରିଥିଲେ । କବିତାଙ୍କର ସ୍ୱପ୍ନ ଥିଲା ତାଙ୍କ କୋଳରେ କଳାକାହ୍ନୁ ଆସିବେ । କିନ୍ତୁ ବିବାହକୁ ୨୮ ବର୍ଷ ବିତି ଯାଇଥିଲେ ମଧ୍ୟ କୋଳଶୂନ୍ୟ ହୋଇ ରହିଛନ୍ତି କବିତା । ତେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ନିଜର ଜନ୍ମିତ ପୁତ୍ର ବୋଲି ସେ ମାନି ନେଇଛନ୍ତି । ପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ମାତୃବତ୍ସଳ ଅନାବିଳ ସେହ୍ନରେ ବାନ୍ଧି ରଖିଛନ୍ତି ଅଭାଗିନୀ ମାଆ । କେତେବେଳେ କାହ୍ନୁ ପାଇଁ ଫୁଲ ତୋଳି ଗଜରା ତିଆରି କରୁଛନ୍ତି ତ ଆଉ କେତେବେଳେ କୋଳରେ ବସାଇ ଗେହ୍ଲା କରୁଛନ୍ତି ।